କଳାହାଣ୍ଡି,୫/୭: କଳାହାଣ୍ଡି ଜିଲ୍ଲାର ସତେଇଶ ବର୍ଷ ପୁରୁଣା କୃଷିଭିତ୍ତିକ ଶିଳ୍ପ କୋଣାର୍କ ସୂତାକଳର ପୁନରୁଦ୍ଧାର ନେଇ ଗତ କିଛି ମାସ ହେଲା ଦାବି ଜୋର ଧରିଛି। ଏନେଇ ଲଗାତାର ଭାବରେ ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ହିସାବରେ ଖବର ପ୍ରସାରଣ କରି ‘ଓଡ଼ିଆ ବାର୍ତ୍ତା’ ତାର କର୍ତ୍ତବ୍ୟ ସମ୍ପାଦନ କରିଆସୁଛି। ଜିଲ୍ଲାର ବହୁ ବୁଦ୍ଧିଜୀବୀ, ରାଜନେତା, ଅନୁଷ୍ଠାନ ଏ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏହି କ୍ରମରେ ଅଗ୍ରଣୀ ସାମାଜିକ ଫୋରମ୍ ‘ସାଇନିଂ କଳାହାଣ୍ଡି’ ତରଫରୁ କ୍ରମାଗତ ଭାବେ କୋଣାର୍କ ସୂତାକଳର ପୁନଃପ୍ରତିଷ୍ଠା ପାଇଁ ସରକାରଙ୍କ ଠାରେ ଦାବି ହୋଇଆସୁଅଛି। ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଚିଠି ଲେଖିବା ସହ ବିଭିନ୍ନ ଫୋରମରେ ସୂତାକଳ ପ୍ରସଙ୍ଗ ଉଠେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଲ।
ଆଜି ସାଇନିଂ କଳାହାଣ୍ଡି ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରିତ ଏକ ସ୍ମାରକପତ୍ର ବୁଦ୍ଧିଜୀବୀ ମହଲରେ ବେଶ ଆଲୋଡନ ସୃଷ୍ଟି କରିଛି। ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜରିଆରେ ଲିଖିତ ଏହି ପତ୍ରରେ କୋଣାର୍କ ସୂତାକଳର ସମସ୍ୟା ଓ ସମାଧାନ ଉଲ୍ଲେଖ କରାଯାଇଛି।
ପ୍ରକାଶଯୋଗ୍ୟ ଯେ, ୧୯୯୦ରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ୫୦ ଏକରରେ ୧୫ କୋଟି ବ୍ୟୟରେ ଆରମ୍ଭ ଏହି ସୂତାକଳ ପ୍ରାରମ୍ଭିକ ଭାବରେ ୩୦୦ ଲୋକଙ୍କୁ ରୋଜଗାର ଯୋଗାଉଥିଲା ।୧୯୯୦-୯୩ ପର୍ଯ୍ୟନ୍ତ ସୂତାକଳ ଚାଲିଥିଲା। ୧୯୯୩-୨୦୨୦ ଠାରୁ ୨୭ ବର୍ଷ ହେଲା ବନ୍ଦ ପଡିରହିଛି। ଏବେ ଏହାର ୫୦ ଏକର ଜମି ଉପରେ ସମସ୍ତଙ୍କର ନଜର ରହିଛି। ଏକ ଲକ୍ଷ ସ୍କୋୟାର୍ ଫିଟ୍ କୋଠା ଭଗ୍ନସ୍ତୁପ ପାଲଟି ଯାଇଛି। କିଛି ଅସାଧୁ ଅଧିକାରୀମାନଙ୍କ ଏହା ଏକ ପ୍ରମୋଦସ୍ଥଳୀ ପାଲଟିଛି। ବାର୍ଷିକ ରିପୋର୍ଟ କାର୍ଡ ନାହିଁ। ସରକାରୀ ଜିନିଙ୍ଗ ମିଲ୍କୁ ପଙ୍ଗୁ କରି ବେସରକାରୀ ଜିନିଙ୍ଗ ମିଲ ଗୁଡିକ କିପରି ସ୍ୱୀକୃତି ପାଇଚାଲିଛି ଅଥଚ ସରକାରୀ ଜିନିଙ୍ଗ ମିଲ ବର୍ଷ ବର୍ଷ କ୍ଷତି ହେବାର ରହସ୍ୟ ଖୋଲିବାର ବାକି ଅଛି । ତେବେ ସରକାରୀ ଜିନିଙ୍ଗ ମିଲକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ନ କରିବା ପାଇଁ କିଛି ଭିତିରିଆ କାରବାର ହେଉଛି କି? ଏହାକୁ କ୍ଷତିପୂର୍ଣ୍ଣ ୟୁନିଟ ଭାବରେ କିପରି ପ୍ରମାଣ କରିଦିଆ ହେଉଛି। ବେସରକାରୀ ଜିନିଙ୍ଗ ମିଲ ସବୁ କିପରି ଲାଭକାରୀ ହେଇଚାଲିଛି, ଏନେଇ ପ୍ରଶ୍ନ ଉଠାଇଛି ସାଇନିଂ କଳାହାଣ୍ଡି।
ପୁଣି ପ୍ରଶ୍ନ ଉଠିଛି ଯେ, ଗତ ୨୦/୨୫ ବର୍ଷରୁ ଅଧିକ ନିର୍ଦ୍ଧିଷ୍ଟ ଅଧିକାରୀ ଏହାକୁ ନିଜ କବ୍ଜାରେ କିପରି ରଖିଛନ୍ତି? ବିଭାଗ କଣ କରୁଛି? କୋଣାର୍କ ସୂତାକଳ ଏମ୍.ଡି.ଙ୍କ ଭୂମିକା କଣ? ଗୋଟାଏ ଟେକ୍ସଟାଇଲ୍ ଇଂଜିନିୟର ବା ଏମ୍.ବି.ଏ. ପ୍ରାପ୍ତ ଅଧିକାରୀଙ୍କୁ କାହିଁକି ଏମ୍.ଡି. କରାଗଲା ନାହିଁ? ଭୟଙ୍କର ଆର୍ଥିକ ଅନିୟମିତତା ଦୃଶ୍ୟମାନ ହେଉଛି। ଜିଲ୍ଲାପାଳ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ତଥ୍ୟ ଲୁଚାଯାଇଛି କି? ବିଭାଗୀୟ ବାର୍ଷିକ ରିଭ୍ୟୁ କାହିଁକି ହେଉ ନାହିଁ?
କପା ଚାଷୀ, ଶ୍ରମିକ ଏବଂ ସେଠାରେ ଚାକିରି କରୁଥିବା କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର। ସରକାରୀ ଜିନିଙ୍ଗ ମିଲ ଏବଂ କୋଣାର୍କ ସୂତାକଳର ଭବିଷ୍ୟତ ଅନ୍ଧାର। ଦେଢରୁ ଦୁଇ ଲକ୍ଷ ଟନ୍ କପା ପ୍ରୋସେସିଙ୍ଗ ଟାର୍ଗେଟ ସଂପୂର୍ଣ୍ଣ ବିଫଳ ପ୍ରମାଣିତ ହେଇଛି। ଭାରତୀୟ କପା ନିଗମର ଭୁମିକା ରହସ୍ୟ ଘେରରେ। ଏଭଳି ଅନେକ ପ୍ରଶ୍ନ ଉଠେଇଛି ସାଇନିଂ କଳାହାଣ୍ଡି।
ଏହି ଅସୁବିଧାର ଦୂରୀକରଣ ସହ ସମାଧାନର ହିସାବରେ ପ୍ରବଳ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା, ଏମ୍.ଏସ୍.ଏମ୍.ଇ ଓ ଟେକ୍ସଟାଇଲ ସଚିବଙ୍କ ଦ୍ୱାରା ପରିଦର୍ଶନ ଏବଂ ସରକାରଙ୍କୁ ଫାଇଣ୍ଡିଙ୍ଗ ରିପୋର୍ଟ ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ଉଲ୍ଲେଖ ଅଛି। ଏମ୍.ଏସ୍.ଏମ୍.ଇ ଓ ଟେକ୍ସଟାଇଲ ମନ୍ତ୍ରୀଙ୍କ ରିଭ୍ୟୁ,ପରିଦର୍ଶନ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଵତନ୍ତ୍ର ଅଡିଟ ସୁନିଶ୍ଚିତ କରିବା, କୋଣାର୍କ ସୂତାକଳକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ଅନ୍ୟୁନ ୧୦୦ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ, କୋଣାର୍କ ସୂତାକଳରେ ୫ହଜାର ଲୋକଙ୍କ ରୋଜଗାର ସୁନିଶ୍ଚିତ, ଜିଲ୍ଲାରେ କପା ଚାଷ ପ୍ରୋତ୍ସାହନ ପାଇଁ କେନ୍ଦ୍ର-ରାଜ୍ୟ ସରକାରୀ ଅନୁଦାନ ସୁନିଶ୍ଚିତ, ବି.ଟି କଟନ୍କୁ ରାଜ୍ୟ ମାନ୍ୟତା, କଞ୍ଚାମାଲ ସହ ପ୍ରକ୍ରିୟାକରଣ ଓ ବଜାର ବ୍ୟବସ୍ଥା ସୁନିଶ୍ଚିତ କରିବା, କପା ସମ୍ୱନ୍ଧିତ ସମସ୍ତ ୟୁନିଟର ବିକାଶ ପାଇଁ ଦୀର୍ଘକାଳୀନ ନୀତି, ଜିଲ୍ଲାରେ କପା ଗବେଷଣାଗାର ପ୍ରତିଷ୍ଠା ଏବଂ କପା ଚାଷୀ, ସୂତାକଳ କର୍ମଚାରୀ ଜିଲ୍ଲା ପ୍ରଶାସନ ତଥା ସମ୍ୱନ୍ଧିତ ମନ୍ତ୍ରାଳୟଙ୍କ ଭିତରେ କନ୍ଫିଡେନ୍ସ ବିଲିଡିଙ୍ଗସ୍ ମେଜର୍ସ ପୂର୍ବକ ରଣନୀତି ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି। ଯାହାଦ୍ୱାରା ଗ୍ରାମୀଣ ଆର୍ଥିକ ସଶକ୍ତିକରଣର ମାପଦଣ୍ଡ ଓ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧିର ଅୟମାରମ୍ଭ ହେବ ବୋଲି କହିଛନ୍ତି ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଲ।