ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହ ଜଡିତ କରିବା ମୋ’ ସ୍କୁଲ ଅଭିଯାନର ମୂଳ ଲକ୍ଷ୍ୟ
କଳାହାଣ୍ଡି,୨୬/୦୧: ଶିକ୍ଷା ବ୍ୟବସ୍ଥା ଏକ ତ୍ରିକୋଣୀୟ ବ୍ୟବସ୍ଥା । ଏହାର ଗୋଟିଏ ପାଶ୍ୱର୍ରେ ଛାତ୍ର, ଆଉ ଏକ ପାଶ୍ୱର୍ରେ ଶିକ୍ଷକ ଏବଂ ତୃତୀୟ ପାଶ୍ୱର୍ରେ ଅଭିଭାବକ, ଗୁରୁଜନ, ପୁରାତନ ଛାତ୍ରଛାତ୍ରୀମାନେ ରହିଥାନ୍ତି । ଏହି ତିନିଟି ସ୍ତମ୍ଭର ସମନ୍ୱୟରେ ହିଁ ଶିକ୍ଷା ବ୍ୟବସ୍ଥା ସଫଳ ହୋଇଥାଏ । ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ କେବଳ ଅର୍ଥରାଶି ସଂଗ୍ରହ ନୁହେଁ, ଏହା ଖାଲି ଏକ ବାହାନା ମାତ୍ର । ଏହାର ମୂଳ ଲକ୍ଷ୍ୟ ହେଉଛି ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟବସ୍ଥା ସହ ଜଡିତ କରିବା ।
ମୋ ସ୍କୁଲ ଅଭିଯାନର କଳାହାଣ୍ଡି ଜିଲ୍ଲାସ୍ତରୀୟ ଉତ୍ସବ, ଫଟୋ ପ୍ରଦର୍ଶନୀ ତଥା ପୁରାତନ ଛାତ୍ର ସମ୍ମେଳନ ଅବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏଭଳି ମତ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।
ଭବାନୀପାଟଣା ବ୍ରଜମୋହନ ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ସିଂ, ଜୁନାଗଡ ବିଧାୟକ କ୍ୟା. ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ବିଧାୟକ ଅନାମ ନାଏକ, ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧର, ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, ବ୍ରଜମୋହନ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶ୍ରୀ ସବିତା ପଟ୍ଟନାୟକ, ମୋ ସ୍କୁଲର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାସ ମିଶ୍ର, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ, ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରୁପମା ଦୋରା, ଜୁନାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁବାଳା ଦେବୀ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ରଜମୋହନ ହାଇସ୍କୁଲର ଛାତ୍ରମାନେ ଘୁମୁରା ନୃତ୍ୟ ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ମୋ ସ୍କୁଲ ଅଭିଯାନର କଳାହାଣ୍ଡି ଇନ୍ଚାର୍ଜ ସୁକାନ୍ତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷକ ହେମନ୍ତ କୁମାର ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ପୋଲିସ୍ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ମୋ ସ୍କୁଲ ଅଭିଯାନକୁ କଳାହାଣ୍ଡିରେ ସର୍ବୋଚ୍ଚ ଅର୍ଥ ପ୍ରଦାନ କରିଥିବା ସମାଜସେବୀ ପ୍ରମୋଦ ଖମାରୀ, ସୁଶ୍ରୀ ସବିତା ପଟ୍ଟନାୟକ, ଜୁନାଗଡ ହାଇସ୍କୁଲ, ବୋରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଫଟୋ ପ୍ରଦର୍ଶନୀରେ ଶ୍ରେଷ୍ଠ ଷ୍ଟଲ ଭାବେ ଭବାନୀପାଟଣା ବ୍ଲକକୁ ସମ୍ମାନିତ କରାଯାଇଥିଲା । ଅତିଥିମାନଙ୍କ ମଧ୍ୟରେ ଭାବବିହ୍ୱଳ ହୋଇ ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନେ ନିଜର ବକ୍ତବ୍ୟ ରଖିଥିଲେ । ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ କ୍ଷୁଦ୍ର ନାଟିକା ମୋ ସ୍କୁଲ ପରିବେଷଣ କରିଥିଲେ । ଶିକ୍ଷକ ରାଧେଶ୍ୟାମ ଦାସ ଏକ ଘୁମୁରା ଗୀତ ମୋ ସ୍କୁଲ ଅଭିଯାନ ସଂପର୍କରେ ପରିବେଷଣ କରିଥିଲେ । ସେହିପରି କଳାହାଣ୍ଡି ଜିଲ୍ଲା ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ସଂପର୍କିତ ଏକ ବୃତ୍ତ ଚିତ୍ର ପ୍ରଦର୍ଶନ କରା ଯାଇଥିଲା । ମୁଖ୍ୟ ଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ବ୍ଲକ୍ ଦ୍ୱାରା ଆୟୋଜିତ ଫଟୋ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ପ୍ରାୟ ୩୦୦ ଜଣ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍ ଏହି ଉତ୍ସବରେ ଭାଗ ନେଇଥିଲେ ।