“21 Welcome 21” ଅନଲାଇନ କଳା ଶିବିରର ଶୁଭାରମ୍ଭ

ଓଡିଶାର ମନ୍ଦିରର କଳା ସ୍ଥାପତ୍ୟ ଶିଳ୍ପୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ

ନୂଆଦିଲ୍ଲୀ: ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ “21 Welcome 21” ଶୀର୍ଷକ ଅନଲାଇନ କଳା ଶିବିର ଉଦ୍ଘାଟିତ ହୋଇଯାଇଛି। ଲଳିତ କଳା ଏକାଡେମୀ ନୂଆ ଦିଲ୍ଲୀର ସଚିବ ଶ୍ରୀଯୁକ୍ତ ରାମକୃଷ୍ଣ ବେଦଲା ଭିଡ଼ିଓ ବାର୍ତା ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ଶିବିରର ଉଦ୍ଘାଟନ ଅବସର ଶ୍ରୀଯୁକ୍ତ ବେଦଲା ପ୍ରଥମେ କଳାର ଦେବୀ ମାତା ସାରସ୍ବତୀଙ୍କ ଶ୍ଳୋକ ଉଚ୍ଚାରଣ କରି କାର୍ଯ୍ୟକ୍ରମର ସମସ୍ତ ପ୍ରତିଭାଗୀ ଚିତ୍ରଶିଳ୍ପୀ ଏବଂ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମର ସଫଳ କାମନା କରିଥିଲେ।


୨୦୨୦ ମସିହାରେ ଦୀର୍ଘ ୯ ମାସ ଧରି ଶିଳ୍ପୀ ମାନେ ସାମ୍ନା କରିଥିବା ବିପଦରୁ ମୁକ୍ତି ପାଇବା ସହିତ ଚଳିତ ବର୍ଷ କିପରି ସ୍ୱାଭାବିକ ଭାବରେ ଆର୍ଟ ଗ୍ୟାଲେରୀରେ କଳା ପ୍ରଦର୍ଶନୀ, ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ, ଆର୍ଟିଷ୍ଟ ମାନେ ମୁକ୍ତ ଭାବରେ କାର୍ଯ୍ୟ କରନ୍ତୁ ବୋଲି ଆଶା ପ୍ରକଟ କରିଥିଲେ।


ଏହି ଉଦଘାଟନୀ ଅବସରରେ ସେ ଭାରତୀୟ କଳା ଓ କଳାକାରଙ୍କ ମହାନତା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ଓଡ଼ିଶାର ମନ୍ଦିରର କଳା ସ୍ଥାପତ୍ୟ ଶିଳ୍ପୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ଘଡିସନ୍ଧି ମୁହୂର୍ତ୍ତରେ ଇଷ୍ଟର୍ନ ଫାଉଣ୍ଡେସନର ଏଭଳି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀଯୁକ୍ତ ବେଦଲା ମତବ୍ୟକ୍ତ କରିଥିଲେ।


ଏହି କଳା ଶିବିରରେ ୨୦୦୧ କୁ ସ୍ୱାଗତ କରିବାକୁ ଦେଶର ୨୧ ଜଣ ଚିତ୍ରକର ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ବାଲେଶ୍ଵରରୁ ନିକୁଞ୍ଜ ବିହାରୀ ଦାସ, ଆର୍ଯ୍ୟପ୍ରଜ୍ଞା ବସାବଦତ୍ତ, ଦେବଦତ୍ତ ସାହୁ, କିଶୋର ଚନ୍ଦ୍ର ନାୟକ, ଭୁବନେଶ୍ୱରରୁ ପଞ୍ଚାନନ ସାମଲ, କେଉଁଝରରୁ ମାନସ ଦାସ, ବାଂଲାଦେଶରୁ ଅରୁଣ ଚନ୍ଦ୍ର ବର୍ମୋନ, ଛତିଶଗଡରୁ ଅନୁପମା ଦେ, ଦିଲ୍ଲୀରୁ ଡ଼ଃ ନିରଜା ଚନ୍ଦନା ପେଟରସ ଓ ସୁଧାକର ସେଠି, କର୍ଣ୍ଣାଟକରୁ ଡ଼ଃ ଶାଳିନୀ ସିଂ ଓ ଡ଼ଃ ସାହେଦେ ପଶା, ଝାରଖଣ୍ଡରୁ କାମିନୀକାନ୍ତ ସ୍ୱାଇଁ, ଚଣ୍ଡୀଗଡରୁ ଲକବିନ୍ଦର ସିଂ, ମହାରାଷ୍ଟ୍ରରୁ ମାନସୀ ସାଗର, ଉତ୍ତର ପ୍ରଦେଶରୁ ପ୍ରଲୋୟ କୁଣ୍ଡୁ ଓ ରଘୁନାଥ ଜେନା, ପଶ୍ଚିମବଙ୍ଗରୁ ସନ୍ଦୀପ ଦେବ, ମଧ୍ୟ ପ୍ରଦେଶରୁ ସ୍ଵାତି ଜୈନ ଏବଂ ତାମିଲନାଡୁରୁ ଭି ରାଜଗୋପାଳ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି।


ଇଷ୍ଟର୍ନ ଫାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ଦାସ ଉଦଘାଟନୀ ଅବସରେ ଉପସ୍ଥିତ ରହି ଏହି ଶିଳ୍ପୀ ଶିବିରର ଉଦ୍ଦେଶ୍ୟ ବିଷୟରେ କହିବା ସହିତ ସମସ୍ତ ପ୍ରତିଭାଗୀ କଳାକାରଙ୍କୁ ସ୍ୱାଗତ କରିଥିଲେ ଏବଂ ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବାର କାମନା କରିଥିଲେ।


ଇଷ୍ଟର୍ନ ଫାଉଣ୍ଡେସନର ସମ୍ପାଦକ ମନୋଜ ଷଣ୍ଢଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ଇ.ଏଫ.ଏ.ସି. ର କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲିକ, ନୃସିଂହ ଚରଣ ଓଝା, କେଶବ ବାର୍ଣ୍ଣଟି, ୟାଥୀଶ କସାରଗଡ଼ ଓ ଟିକମ ଖଣ୍ଡପ୍ପା ଉପସ୍ଥିତ ରହି ପରିଚାଳନା କାର୍ଯ୍ୟ ତୁଲାଇଥିଲେ।


ଏହି ଅନଲାଇନ କଳା ଶିବିର ୮ଜାନୁଆରୀରୁ ୧୧ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ଶିଳ୍ପୀ ମାନେ ନିଜର ଚିତ୍ର ମଧ୍ୟମରେ ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବାର କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.