କୋକସରା, (ହିରଣ୍ୟ ବେହେରା): ବିବାହ ବନ୍ଧନରେ ବାନ୍ଧି ହେବାକୁ ପଳାତକ ସାଜିଥିବା ଏକ ପ୍ରେମୀ ଯୁଗଳ କୋକସରା ପୁଲିସ ଥାନାରେ ଆତ୍ମସମର୍ପଣ କରି ବିବାହ କରିଛନ୍ତି। ସୂଚନା ଅନୁସାରେ ବେହେରା ଗ୍ରାମର ଶକୁନ୍ତଳା ଗୋପାଳ (୨୨)ଓ ଖପ୍ରାମାଳ ଗ୍ରାମର ରାଜେଶ କୁମାର ରାଉତ (୨୬) ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ପୁଅଙ୍କ ପରିବାର ପକ୍ଷରୁ ପୁଅକୁ ବୁଝା ସୁଝା କରି ପାରିବାରିକ ସମ୍ମାନ ବିଷୟରେ କହି ବାଧା ସୃଷ୍ଟି କରୁଥିବାରୁ ଉଭୟ ଘର ଛାଡି ପଳେଇ ଥିଲେ।
ଏନେଇ ଝିଅ ଘର ପକ୍ଷରୁ କୋକସରା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ହେଲେ ଆଜି (ଶୁକ୍ରବାର) ଉଭୟ ପ୍ରେମୀ ଯୁଗଳ କୋକସରା ଥାନାର ଦ୍ୱାରସ୍ତ ହୋଇ ପରସ୍ପର ବେକରେ ପୁଷ୍ପମାଲ୍ୟ ଦେଇ ବିବାହ କରିଥିବା କୋକସରା ଥାନାଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।