କଚ୍ଛପ ଗତିରେ ଚାଳିଛି ବେଲଖଣ୍ଡି-କଅଁସର ସେତୁ ନିର୍ମାଣ କାର୍ଯ୍ୟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସହ ବଲାଙ୍ଗୀର ଜିଲ୍ଲାକୁ ସିଧାସଳଖ ଯୋଡିବା ପାଇଁ ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଗତ ୨୦୧୮ ମସିହାରୁ ତେଲ ନଦୀରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା । ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ବେଲଖଣ୍ଡି-କଅଁସର ସେତୁର ର୍ଦୈଘ୍ୟ ୪୫୯ ମିଟର ଥିବାବେଳେ ଏଥିପାଇଁ ୨୦୧୬.୩୫ ଲକ୍ଷ ଟଙ୍କା ଅଟକଳ ରଖାଯାଇଛି ।


ଗ୍ର‌୍ୟାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେଉଥିବା ଏଇ ସେତୁର ଠିକା କାମ ଆରତି ଇନଫ୍ରାଟେକ ପ୍ରାଃ ଲିମିଟେଡ ନାମକ ଏକ ସଂସ୍ଥା କରୁଅଛି । ଏହାର ସଂପୂର୍ଣ କରିବା ସମୟ ୨୦୨୦ ଅକ୍ଟୋବରକୁ ଧାର୍ଯ୍ୟ ଥିବାବେଳେ ଅଦ୍ୟାବଧି ଏହାର ୫୦ ପ୍ରତିଶତ ବି କାମ ସରିନାହିଁ । ତେଣୁ ଏହା ସଂପୂର୍ଣ ହେବାକୁ ଆହୁରି ବିଳମ୍ବ ହେବା ନିଶ୍ଚିତ । ଯଦିଓ ଗତବର୍ଷ କରୋନା ମହାମାରୀ ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା ହେଲେ ସରକାର ବହୁଦିନରୁ ନିର୍ମାଣ କାମ ପାଇଁ ଅନୁମତି ଦେଇଥିବାରୁ କାମର ଅଗ୍ରଗତି ହେବାକଥା । ହେଲେ କଚ୍ଛପ ଗତିରେ କାମ ଚାଲୁଥିବାରୁ ବିଳମ୍ବ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ସେତୁ ନିର୍ମାର ହେଲେ ଏହା ନିକଟସ୍ଥ ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପାଇଁ ଜୀବନରେଖା ସଦୃଶ ହେବ । କାରଣ ସ୍ଥାନୀୟ ଲୋକେ ବଲାଙ୍ଗର ଅଂଚଳ କୁ ଯିବାକୁ ହେଲେ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡୁଛି ।


ଏହି ସେତୁ ସଂପୂର୍ଣ୍ଣ ହେଲେ ବଲାଙ୍ଗୀର ସଦର ସମେତ ସଇଁନ୍ତଲା, ଟିଟିଲାଗଡ ଅଂଚଳ ସିଧାସଳଖ ସଂଯୋଗ ହୋଇପାରିବ । ସେଇପରି ବେଲଖଣ୍ଡୀରେ ପ୍ରସିଦ୍ଧ ଶୈବପୀଠ ଥିବାରୁ ପଡୋଶୀ ଜିଲ୍ଲାର ଲୋକେ ଦେବଦର୍ଶନ କରିବା ପାଇଁ ସୁଗମ୍ୟପଥ ପାଇପାରିବେ । ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନରେ ଉଭୟ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇପାରିବେ । ବର୍ଷା ଦିନେ ଏ ଅଂଚଳବାସୀ ଡଙ୍ଗା ଉପରେ ନିର୍ଭର କରିଥାନ୍ତି । ତେବେ ଡଙ୍ଗାରେ ଯାତାୟତରେ ରିକ୍ସ ରହୁଥିବାରୁ ଅନେକ ଲୋକେ ଦୀର୍ଘ ୩୫ କିମି ବୁଲାଣି ବୁଲି ଯାତ୍ରା କରିଥାନ୍ତି । ଆଗାମୀ ବର୍ଷାଦିନ ପୂର୍ବରୁ ସେତୁ କାମ ଶେଷ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.