ଓଡ଼ିଶାର ମଦର୍ ଟେରେସା : ସେବାର ଅନ୍ୟ ନାମ ଶାନ୍ତି ମାଉସୀ

ଉପସ୍ଥାପନା: କ୍ଷୀରୋଦ ବିହାରୀ ବିଶ୍ୱାଳ

ସେ ମାଆଟିଏ, ସେ ସାହାଟିଏ, କେତେ କେତେ ନିରାଶ୍ରୟ ରୋଗୀଙ୍କ ପାଇଁ ସୁସ୍ଥ ହେବାର ରାହାଟିଏ । ପୁରା ନାଁ ଶାନ୍ତିଲତା ନାୟକ, କିନ୍ତୁ କଟକ ବଡ଼ ମେଡିକାଲରେ ତାଙ୍କୁ ସମସ୍ତେ ଶାନ୍ତି ମାଉସୀ ନାଁରେ ଜାଣନ୍ତି । ନିଜର ସାରା ଜୀବନ ଶାନ୍ତି ମାଉସୀ ଗରିବ, ଅନାଥ ଓ ନିରାଶ୍ରୟ ରୋଗୀମାନଙ୍କ ସେବାରେ ଉତ୍ସର୍ଗ କରିଦେଇଛନ୍ତି ।

ରୋଗୀମାନଙ୍କୁ ନିଜ ପୁଅ ଝିଅ ପରି ସ୍ନେହ କରନ୍ତି ସେ । କଟା ଘା’ ଠାରୁ ପଚା ଘା’ ପର୍ଯ୍ୟନ୍ତ ସଫା କରନ୍ତି, ମଲମ ଲଗାଇ ପଟି ଭିଡ଼ନ୍ତି । ସାଧାରଣ ଦୁର୍ଘଟଣା, କାଜୁଆଲିଟିର ପୋଡ଼ାରୋଗୀ, ସର୍ଜରୀ ୱାର୍ଡ଼ର କଠିନ ଅପରେସନର ଡ୍ରେସିଂ – ସବୁ କାମରେ ଡାକ୍ତରଙ୍କ ଭରସା ଶାନ୍ତି ମାଉସୀ । ରୋଗୀମାନଙ୍କ ପାଇଁ ଶାନ୍ତି ମାଉସୀ ଗୋଟିଏ ଦେବୀ ।

ଶାନ୍ତି ମାଉସୀଙ୍କ ବାପଘର ଢେଙ୍କାନାଳ । ପିଲାଟି ଦିନରୁ ପରୋପକାର କରିବା, ଦୁଃଖିଙ୍କ ସେବା କରିବାରେ ସେ ବହୁତ ଆନନ୍ଦ ଅନୁଭବ କରୁଥିଲେ । କିନ୍ତୁ ନିଜେ ଦୁଃଖରେ ବଢ଼ିଥିବା ଶାନ୍ତି ମାଉସୀଙ୍କର ସମ୍ବଳ ନଥିଲା କାହାକୁ କିଛି ଆର୍ଥିକ ସାହାଯ୍ୟ କରିବାକୁ କିମ୍ବା ନିଜେ ଡାକ୍ତର କି ନର୍ସ୍ ହେବାକୁ ।


ବିବାହ କଲେ କଟକରେ । ଦୁଇଟି ପୁଅ ଓ ଗୋଟିଏ ପାଳିତା କନ୍ୟାର ମା’ ହେଲେ, କିନ୍ତୁ ଦୁଃଖ ସରିଲା ନାହିଁ । ସ୍ୱାମୀ ତାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କଲେ । ବହୁତ ଦୁଃଖରେ ପିଲାମାନଙ୍କୁ ଏକୁଟିଆ ମଣିଷ କରିଛନ୍ତି ଶାନ୍ତି ମାଉସୀ ।

ସେ ‘ବସୁନ୍ଧରା’ ନାମକ ଏନ୍.ଜି.ଓ.ରେ କାମ କରୁଥିଲେ । ସେବା ମନୋବୃତ୍ତି ଥିବାରୁ ସେ ସଭିଙ୍କ ପ୍ରିୟ ଥିଲେ ।
୨୦୦୯/୧୦ ରେ ସେ କାମ କରୁଥିବା ଏନ୍.ଜି.ଓ. କଟକ ବଡ଼ ମେଡିକାଲରେ କିଛି କାମ ନେଲା ଓ ଶାନ୍ତି ମାଉସୀଙ୍କୁ ସୁଯୋଗ ମିଳିଲା ପ୍ରତ୍ୟକ୍ଷ ଭାବରେ ରୋଗୀମାନଙ୍କର ସେବା କରିବାର । କିନ୍ତୁ ଡାକ୍ତରଖାନାରେ ପଟିଟେ ଭିଡ଼ିବା ପାଇଁ କି ଔଷଧ ଲଗାଇବା ପାଇଁ ବି ଜ୍ଞାନ ଦରକାର, ଅଭିଜ୍ଞତା ଦରକାର ।


ଶାନ୍ତି ମାଉସୀଙ୍କ ଆଗ୍ରହ ଦେଖି ଡାକ୍ତରମାନେ ତାଙ୍କୁ ଟ୍ରେଣ୍ତ କରେଇଲେ । ବିଭିନ୍ନ ପ୍ରକାର ରୋଗୀମାନଙ୍କ ଡ୍ରେସିଂ, ମଲମ, ପଟି – ସବୁ ବାବଦରେ ଭଲକି ଶିକ୍ଷାନେଲେ ଶାନ୍ତି ମାଉସୀ ।

ଏଥିପାଇଁ ସେ ଏସ୍.ସି.ବି. ମେଡିକାଲ୍ ର ପୂର୍ବତନ ଇନ୍ଚାର୍ଜ୍ ଓ ପୂର୍ବତନ କାଜୁଆଲିଟି ହେଡ୍ ପ୍ରଫେସର୍ ଭୁବନ ମହାରଣାଙ୍କୁ ବହୁତ ଧନ୍ୟବାଦ ଦିଅନ୍ତି । ଡାକ୍ତର ମହାରଣାଙ୍କ ପାଇଁ ସେ ଏତେ ରୋଗୀଙ୍କ ସେବା କରିବାର ସୁଯୋଗ ପାଇଛନ୍ତି ବୋଲି ହସିହସି କୁହନ୍ତି ।

କଟକ ବଡ଼ମେଡିକାଲ୍ କୁ ଆସୁଥିବା ଅବିଭାବକ ବିହୀନ ରୋଗୀଙ୍କ ପାଇଁ ଶାନ୍ତି ମାଉସୀ ମା’ ପରି । ଗୋଟିଏ ବର୍ଷ ହେବ ଶଲ୍ୟ ବିଭାଗ ବିଲ୍ଡିଂରେ ନିରାଶ୍ରୟ ରୋଗୀମାନଙ୍କ ପାଇଁ ଏକ ୱାର୍ଡ୍ ଖୋଲାଯାଇଛି ।

ସେଠି ପ୍ରତିଦିନ ୫୦ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହି ଅନାଥ ରୋଗୀମାନଙ୍କୁ ମଲମ ଲଗାଇ ଡ୍ରେସିଂ କରିବା, ଖୁଆଇବା, ଗାଧୋଇଦେବା, ଏପରିକି ଝାଡ଼ା ପରିସ୍ରା ବି କରେଇ ଦିଅନ୍ତି ।

ସବୁବେଳେ ରୋଗୀ ସେବାରେ ବ୍ୟସ୍ତ ରହୁଥିଲେ ବି ଶାନ୍ତି ମାଉସୀ ମୁହଁରେ କେବେ ବିରକ୍ତି ଭାବ କି ଥକିଯିବାର ଭାବ ନଥାଏ, ତାଙ୍କ ମୁହଁ ସବୁବେଳେ ହସ ହସ ।

ଶାନ୍ତି ମାଉସୀ କୁହନ୍ତି ତାଙ୍କ ଜନ୍ମ କେବଳ ଏହି କାମ ପାଇଁ । ଠାକୁରେ ତାଙ୍କୁ ଦୀର୍ଘାୟୁ କରନ୍ତୁ ଓ ସେ ଏମିତି ସମାଜର ସେବାରେ ଲାଗିଥାନ୍ତୁ ।

ମୋ: 9439987675

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.