ସମ୍ଭାବ୍ୟ ବନ୍ୟାବାତ୍ୟା ମୁକାବିଲା ପାଇଁ ବିଭିନ୍ନ ବିଭାଗ ପ୍ରସ୍ତୁତ ରହିବାକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ
ରାୟଗଡ, (ଶିବ ନାରାୟଣ ଗୈାଡ): ଆଗାମୀ ମୈାସୁମୀ ବର୍ଷା ଓ ରାୟଗଡ ଜିଲ୍ଳାରେ ସମ୍ଭାବ୍ୟ ବନ୍ୟାବାତ୍ୟାର ମୁକାବିଲା କରିବା ନିମନ୍ତେ ଆଜି ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଳାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ,କୋରାପୁଟ ଲୋକସଭା ସାଂସଦ ସପ୍ତଗିିରି ଉଲାକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗ ଦାନ କରି ପ୍ରସ୍ତୁତି ସଂପର୍କରେ ନିଜ ନିଜ ମତପୋଷଣ କରିଥିଲେ ।
ବର୍ଷାଦିନ ପୂର୍ବରୁ ଭାଙ୍ଗିଯାଇଥିବା ନଦୀ ବନ୍ଧ, ହୁଡା, କେନାଲ ଗୁଡିକ ତୁରନ୍ତ ମରାମତି କରିବା ପାଇଁ ଜଳସେଚନ ବିଭାଗ ପାରଲାଖେମୁଣ୍ଡି ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବଂଶଧାରା, ନାଗାବଳୀ, କଲ୍ୟାଣୀ ନଦୀ ଅବବାହିକାରେ ଥିବା ଜିଲ୍ଳାର ଗୁଡାରୀ, ଗୁଣପୁର, ପଦ୍ମପୁର, କଲ୍ୟାଣସିଂହପୁର ଓ ରାୟଗଡ ବ୍ଳକର ଯେଉଁ ଅଂଚଳଗୁଡିକରେ ବନ୍ୟା ପାଣି ମାଡିଆସିବାର ସମ୍ଭାବନା ରହୁଛି ସେଗୁଡିକ ସ୍ଥାନ ଚିହ୍ନଟ କରି ବର୍ଷାଦିନ ପୂର୍ବରୁ ନିର୍ମାଣ ଓ ମରାମତି କାର୍ଯ୍ୟ ସାରିବାକୁ ବୈଠକରେ କାର୍ଯ୍ୟ ନିର୍ବାହୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୈାଣସି କାମକୁ ତରବରିଆ ଭାବରେ ନ କରି ମଜଭୁତ ଭାବେ ସଠିକ୍ କାମ କରିବାକୁ ଜିଲ୍ଳାପାଳ ଶ୍ର୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପୂର୍ବରୁ ସମସ୍ତ ପ୍ରକାର ଆବଶ୍ୟକ ଜିନିଷ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ନିର୍ମାଣ ଓ ମରାମତି କାର୍ଯ୍ୟଗୁଡିକ ଆସନ୍ତା ୧୫ଦିନ ମଧ୍ୟରେ ଶେଷ କରିବାକୁ ବୈଠକରେ କୁହାଯାଇଛି । ସେହିପରି ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କେନାଲଗୁଡିକରୁ ଜଳ ନିଷ୍କାସନ ନିମନ୍ତେ କେନାଲଗୁଡିକର ମରାମତି କାମ ମଧ୍ୟ ବର୍ଷାଦିନ ପୂର୍ବରୁ ଶେଷ କରିବାକୁ କୁହାଯାଇଛି । ସମ୍ଭାବ୍ୟ ବନ୍ୟାବାତ୍ୟା ସମୟରେ ସୁପରିଚାଳନା ନିମନ୍ତେ ଉପଖଣ୍ଡ ସ୍ତରରେ ଉପଜିଲ୍ଳାପାଳ, ତହସିଲ ସ୍ତରରେ ତହସିଲଦାର, ବ୍ଳକ ସ୍ତରରେ ବିଡିଓ, ରାଜସ୍ୱ ସ୍ତରରେ ରାଜସ୍ୱ ନିରୀକ୍ଷକ, ଗ୍ରାମ ପଂଚାୟତ ସ୍ତରରେ ପଂଚାୟତ ନିର୍ବାହୀ ଅଧିକାରୀ, ସହରାଂଚଳରେ ପୈାର ନିର୍ବାହୀ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସେହିପରି ବନ୍ୟାବାତ୍ୟା ସମୟରେ ଦୁର୍ଗମ ଓ ବନ୍ୟା ପ୍ରଭାବିତ ଅଂଚଳରେ ଯଥେଷ୍ଟ ଆଗରୁ ଶୁଖିଲା ଖାଦ୍ୟ, ଆବଶ୍ୟକୀୟ କିରୋସିନି, ଚୁଡାଗୁଡ ଆଦି ସାମଗ୍ରୀ ମହଜୁଦ ରଖିବା ନିମନ୍ତେ ଜିଲ୍ଳା ଯୋଗାଣ ଅଧିକାରୀ ଏବଂ ଆବଶ୍ୟକ ଔଷଧ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାବାତ୍ୟା ବେଳେ ପ୍ରାଣୀ ସଂପଦ ଚିକିତ୍ସା ଓ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ରହିବାକୁ ସିଡିଭିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳାପାଳ । କୃଷକମାନଙ୍କୁ ରିହାତି ମୂଲ୍ୟରେ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଇବା ନିମନ୍ତେ ସିଡିଏଓଙ୍କୁ ନିର୍ଦ୍ଦେଶ କରାଯାଇଛି । ସେହିପରି ବନ୍ୟାବାତ୍ୟା ପରେ ରାସ୍ତାଘାଟ ସଂଫା କରିବା ନିମନ୍ତେ ସଂପୃକ୍ତ ବିଭାଗ୍ ସହ ଅଗ୍ନିଶମ ବାହିନୀ ଏବଂ ବିଦ୍ୟୁତ ଜନୀତ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ସହରାଂଚଳରେ ବିଶୋଧିତ ପାନୀୟ ଜଳ ଯୋଗାଣ ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ଗ୍ରାମାଂଚଳରେ ଅଚଳ ନଳକୂପଗୁଡିକର ମରାମତି ଏବଂ ବନ୍ୟା ପରେ ତୁରନ୍ତ ବିଶୋଧିତ ପାଣି ଯୋଗାଇବା ନିମନ୍ତେ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀଙ୍କୁ ସମସ୍ତ ପ୍ରକାର ପ୍ରସ୍ତୁତି ନେଇ ରହିବାକୁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ୱେବିନାର ବୈଠକରେ ଜିଲ୍ଳାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, ବିଡିଓ, ତହସିଲଦାର, ପୈାରାଂଚଳ ନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଳା ଜରୁରୀକାଳନୀ ବିଭାଗ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।