୧୪ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲା ଆଶାକର୍ମୀ ସଂଘ

●ଦାବି ପୂରଣ ନହେଲେ କୋଭିଡ ଡ୍ୟୁଟିରେ ଅସହଯୋଗ ଚେତାବନୀ

ଲାଞ୍ଜିଗଡ଼: ଅତି କମ୍ ପାରିଶ୍ରମିକ, ନାମକୁ ମାତ୍ର ଭତ୍ତା ସହିତ ଆଶାକର୍ମୀ ମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରାଯାଉଥିବାବେଳେ ଠିକ୍ ସମୟରେ ପାରିଶ୍ରମିକ ମିଳୁନାହିଁ। ଗର୍ଭବତୀ, ପ୍ରସୂତିଙ୍କ ସୂଚନା ସଂଗ୍ରହ, ସୁରକ୍ଷିତ ପ୍ରସବ, ଲୋକଙ୍କ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ସଂଗ୍ରହ ସହିତ ବର୍ତ୍ତମାନର ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛନ୍ତି ଆଶା କର୍ମୀ। ସେମାନଙ୍କ ବିଭିନ୍ନ ସମସ୍ୟା ସତ୍ତ୍ୱେ ସେସବୁକୁ ପ୍ରଶାସନ ଓ ସରକାର ଅଣଦେଖା କରୁଥିବାରୁ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଲାଞ୍ଜିଗଡ ବ୍ଲକ ଆଶା କର୍ମୀ ସଂଘ। ସଂଘର କର୍ମକର୍ତ୍ତା ମାନେ କୋଭିଡ କଟକଣା ପାଳନ ସହିତ ସମ୍ମିଳିତ ହୋଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କୁ ଏକ ୧୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ମେଡିକାଲ ଅଫିସରଙ୍କ ତରଫରୁ ଡା. ନିହାରରଞ୍ଜନ ସାହୁ ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ସେହିପରି ଲାଞ୍ଜିଗଡ ବ୍ଲକ ପ୍ରଶାସନକୁ ମଧ୍ୟ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିବାବେଳେ ଏବିଡିଓ ବିଭୁତିଭୂଷଣ ଶତପଥି ଏହି ଦାବିପତ୍ର ଗ୍ରହଣ କରିଥିଲେ।


ଆଶାକର୍ମୀମାନଙ୍କ ଦାବି ଅନୁସାରେ ଆଶା କର୍ମୀମାନଙ୍କୁ ସର୍ବନିମ୍ନ ମାସିକ ୨୧ ହଜାର ଟଙ୍କା ପ୍ରଦାନ କରିବା, ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ସାମାଜିକ ସୁରକ୍ଷା ସହିତ ଇଏସ୍‌ଆଇ ଓ ଇପିଏଫ୍ ସୁବିଧା ପ୍ରଦାନ କରିବା, ମାସିକ ୧୦ ହଜାର ଟଙ୍କାର କରୋନା ସହାୟତା, ଆଶା କର୍ମୀଙ୍କ ପରିବାରକୁ ମାଗଣା ଟୀକା, ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ପରୀକ୍ଷା ଉପଲବ୍ଧ କରାଇବା, କରୋନାରୁ ସୁରକ୍ଷା ପାଇଁ ଉପକରଣ, କରୋନା ପୀଡିତ ଆଶା କର୍ମୀଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପାଞ୍ଚଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଆୟକର ଦେଉନଥିବା ଆଶା କର୍ମୀଙ୍କୁ ମାସିକ ୭ ହଜାର ପାଞ୍ଚଶହ ଟଙ୍କା ଓ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇଦେବା ଆଦି ଦାବି ଉଲ୍ଲେଖ ଯୋଗ୍ୟ ଅଟେ। ତୁରନ୍ତ ଏସବୁ ଦାବି ପୂରଣ କରାନଗଲେ ଆଶାକର୍ମୀମାନେ କୋଭିଡ ଡ୍ୟୁଟିରୁ ଓହରିଯିବେ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଲାଞ୍ଜିଗଡ଼ ବ୍ଲକର ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତ ସଙ୍ଗରୋଧରେ ଥିବାବେଳେ, ଟୀକାକରଣ ଅଭିଯାନରେ ମଧ୍ୟ ଆଶା କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏଣୁ ସେମାନଙ୍କ ଦାବି ପୂରଣ କରାନଗଲେ ଗ୍ରାମାଞ୍ଚଳରେ କରୋନା ଲଢେଇ ବାଟବଣା ହେବାର ସମ୍ଭାବନା ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଓଡିଶା ଆଶା କର୍ମୀ ସଂଘ(ସିଟୁ) ଲାଞ୍ଜିଗଡ ବ୍ଲକ ଶାଖାର ସଭାପତି ପଦ୍ମନାଭ ବିଶ୍ୱାଳ, ସିଟୁର ଜିଲ୍ଲା ସଂପାଦକ ବିଶ୍ୱଜିତ ଚାଟାର୍ଜୀ, ଆଶା କର୍ମୀ ଅନ୍ନପୂର୍ଣ୍ଣା ବେହେରା, ସଞ୍ଜିତା କରୁଆଁ, ପଦ୍ମା ନାଏକ, ବିଚିତ୍ରା ନାଏକ, ଲକ୍ଷ୍ମୀ ବାଗ, କଳ୍ପନା ପଧାନ, ବସୁମତୀ ପୁଟେଲ, ପଙ୍କଜିନୀ ବାଣୁଆ, ହିମାଦ୍ରୀ ସାହୁ, ଜୟନ୍ତୀ ଦୋରା, ହେମବତୀ ବେହେରା, କାଞ୍ଚନ ନାଏକ, ବୃନ୍ଦାବତୀ ମାଝୀ, ଲକ୍ଷ୍ମୀ ହରିଜନ, ବିମଳା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.