ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ମନୋନୀତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ପାଡୁଆ ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ୨୦୨୦ ମସିହା ପାଇଁ ପ୍ରକୃତି ବନ୍ଧୁ-୨୦୨୦ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ସମାଜସେବୀ, ପ୍ରକୃତିପ୍ରମି ଓ ଜୀବଜନ୍ତୁ ପ୍ରେମୀ ଏବଂ ଅମାୟିକ ଛାତ୍ରବତ୍ସଳ ଅଧ୍ୟାପକ ଅଟନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ଅଧ୍ୟାପକ ହୋଇଥିଲେ ମଧ୍ୟ ନିଜକୁ ପାଠପଢ଼ା ମଧ୍ୟରେ ସୀମିତ ନ ରଖି ବିଭିନ୍ନ ସମାଜସେବା କ୍ଷେତ୍ରରେ ସାମିଲ ଅଛନ୍ତି। ଏହା ସହ ପଶୁପକ୍ଷୀଙ୍କ ପ୍ରତି ସର୍ବଦା ସମ୍ବେଦନଶୀଳ ହେବା ସହ ପ୍ରକୃତିର ସୁରକ୍ଷା ପାଇଁ ଅନେକ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି, ପରିବେଶ ପ୍ରତି ତାଙ୍କର ଏଭଳି ନିଷ୍ଠା ଏବଂ ସମାଜସେବା ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିଛି। ଅବସର ସମୟରେ କୋରାପୁଟ ସହରର ଗୌଡ଼ଗୁଡାର ଲଣ୍ଡା ପାହାଡ଼, ମାନବର ଉଚ୍ଚ ବିଦ୍ୟାଳୟ ପରିସର ଏବଂ କୋରାପୁଟ ଗାନ୍ଧୀନଗରସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ଚାରା ରୋପଣ କରି ପରିବେଶକୁ ସବୁଜିମା କରିଛନ୍ତି ଏବଂ ଜନସାଧାରଣଙ୍କୁ ସମ୍ପ୍ରତି କରୋନା ସମୟରେ ମଧ୍ୟ ଗାଁ ଗାଁକୁ ଯାଇ କରୋନା ସମୟରେ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଚେତନତା ବାଣୀ ମଧ୍ୟ ପ୍ରଦାନ କରୁଥିବା ଦୃଷ୍ଟିଗୋଚର ହୋଇଅଛି। ଏହା ଛଡା ସାହିତ୍ୟରେ ରୁଚି ରଖୁଥିବା ଶ୍ରୀଯୁକ୍ତ ପଟ୍ଟନାୟକ ବିଭିନ୍ନ ଗଳ୍ପ, କବିତା ଏବଂ ଗଦ୍ୟ ରଚନାରେ ମଧ୍ୟ ନିଜକୁ ନିୟୋଜିତ ରଖନ୍ତି। ସେ ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟ ସହସଂଯୋଜକ ଭାବେ ଦାୟିତ୍ୱ ତୁଲାଇବା ସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏକ ନୂତନ ଜାଗରଣ ଆଣିଅଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ବରିଷ୍ଠ ଶିକ୍ଷାବିତ, ଭୁଦାନକର୍ମୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଶ୍ରୀଯୁକ୍ତ ଭାସ୍କର ପଟ୍ଟନାୟକଙ୍କ ପୁତ୍ର। ଏହି ଅବସରରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ବାର୍ତ୍ତା ପଠାଇଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.