କାମରେ ଆସୁନି ଚିଚିଆ ଉଠା ଜଳସେଚନ ପ୍ରକଳ୍ପ: ଚାଷୀ ମହଲରେ ଅସନ୍ତୋଷ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଉଠା ଜଳସେଚନ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଇ ଦେବାକୁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା କାରଣରୁ ସେଗୁଡିକ ଅଚଳ ଅବସ୍ଥାରେ ପଡିରହିଛି । ଚଳିତ ବର୍ଷ ସ୍ୱଳ୍ପ ବର୍ଷା କାରଣରୁ ଚାଷକାର୍ଯ୍ୟ ହୋଇ ପାରୁନାହିଁ । ଚାଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଗୋଲାମୁଣ୍ଡା ବ୍ଲକର ଚିଚିଆ ପଞ୍ଚାୟତର ଜୁନାଯୋର ଉପକୂଳରେ ଥିବା ଉଠା ଜଳସେଚନ କରାଯାଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ୪୦୦ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମାତ୍ର ବିଭାଗୀୟ ଖାମଖିଆଲ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଥିବା ବେଳେ ବିଛାଯାଇଥିବା ପାଇପ ଲାଇନଗୁଡିକୁ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଛନ୍ତି । ଏଠାରେ ଜଳସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ ମାରିଥିବାରୁ ଚାଷୀ ହତାଶ ହୋଇ ପଡିଛି । ସବୁ ବ୍ୟବସ୍ଥା ଥାଇ ମଧ୍ୟ ଚାଷୀଙ୍କ ହିତରେ ଜଳ ସେଚନ ବ୍ୟବସ୍ଥା କାର୍ଯ୍ୟ କରୁନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବନ୍ଧିବା ସହିତ ଚାଷ କାର୍ଯ୍ୟରୁ ଆୟ ହେଉନଥିବାରୁ ଚାଷ କାମ ପ୍ରତି ବିମୁଖ ହେଉଥିବା ଦେଖାଯାଉଛି । ଉଠା ଜଳସେଚନ ପୁନଃରୁଦ୍ଧାର କରାଗଲେ ଅଞ୍ଚଳର ଚାଷୀ ଉପକୃତ ହେବା ସହ ସାମଗ୍ରିକ ବିକାଶ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଉଠା ଜଳସେଚନକୁ ପୁନଃ ଚଳନକ୍ଷମ କରାଯିବା ପାଇଁ ସରକାରୀ ସ୍ଥରରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.