କଳାହାଣ୍ଡି,(ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ଦୁର୍ନୀତିଗ୍ରସ୍ତ ବିପିସି ରୁଦ୍ରପ୍ରସାଦ ସାହୁଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇ ଗିରଫ କରିବା ସହ ତାଙ୍କୁ ଚାକିରୀରୁ ତୁରନ୍ତ ବହିଷ୍କାର କରିବା ଦାବିରେ ଆଜି ବ୍ଲକ ସମ୍ମୁଖରେ ସାମାଜିକ କର୍ମୀ ସୁରେଶ ଚୌଧୁରୀ ଓ ନନ୍ଦୀକିଶୋର ଭୋଇଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକ ମାନେ ଧାରଣାରେ ବସିଛନ୍ତି। ଦାବୀ ପୂରଣ ନ ହେଲା ଯାଏ ଧାରଣା ଜାରି ରହିବ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି କଳାହାଣ୍ଡି ଜିଲ୍ଲାପାଳ ବିପିସିଙ୍କୁ ତରବରିଆ ଭାବେ ଅନ୍ୟ ବ୍ଲକକୁ ବଦଳି ଆଦେଶ ଦେଇଛନ୍ତି କିନ୍ତୁ ବଦଳି ନୁହଁ ବହିଷ୍କାର କରାଯାଉ ବୋଲି ସ୍ଥାନୀୟ ଜନତା ଅଡ଼ିବସିଛନ୍ତି। ଧାରଣରତ ଆନ୍ଦୋଳନକାରି ମାନେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ତଥା ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, କର୍ଲାମୁଣ୍ଡା ବ୍ଲକର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର (ବିପିସି) ରୁଦ୍ର ପ୍ରସାଦ ସାହୁ ଦୁର୍ନୀତି ଓ ଅନିୟମିତତାର ସବୁ ସୀମା ଟପିଯାଇଥିବା ସମନ୍ଧରେ ଅନେକ ଗଣମାଧ୍ୟମରେ ଖବର ପ୍ରଚାର ହୋଇଥିଲା। ବିପିସି ରୁଦ୍ରପ୍ରତାପ ହିତାଧିକାରୀ ମାନଙ୍କ ଆବାସ ଯୋଜନାର ଟଙ୍କା ଆତ୍ମସାତ କରିବା, ବିନା ଲାଞ୍ଚରେ ବୋନସ ଟଙ୍କା ନଦେବା, ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ତାଲିକାରୁ ଡିଲିଟ କରିଦେବା ପରି ଅନେକ ଅଭିଯୋଗ ଆସିଛି। ତାଙ୍କ ନାମରେ ଯେତେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଘଣ୍ଟ ଘୋଡାଉ ଥିବା ଅଭିଯୋଗ ହେଉଛି। କେଉଁ ରାଜନେତାଙ୍କ ଛାତ୍ରଛାୟା ତଳେ ରହି ସେ ଦୁର୍ନୀତି କରିଚାଲିଛନ୍ତି ବୋଲି ପ୍ରଶ୍ନ କରିବାସହ ତୁରନ୍ତ ତାଙ୍କୁ ଗିରଫ ଦାବୀ କରିଛନ୍ତି ଆନ୍ଦୋଳନକାରୀ। ଆଜିର ଏହି ଧାରଣାରେ ସୁରେଶ ଚୌଧୁରୀ ଓ ନନ୍ଦୀକିଶୋର ଭୋଇଙ୍କ ସମେତ ଜଗନ୍ନାଥ ଚୌଧୁରୀ, ନବୀନ କିଶୋର ସାହୁ, ଭକ୍ତ ସାହୁ ପ୍ରମୁଖ ସାମିଲ ହୋଇଛନ୍ତି।