କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଆଜି କଳାହାଣ୍ଡି ଭାତହାଣ୍ଡି ଭାବରେ ରାଜ୍ୟ ତଥା ସମଗ୍ର ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି। ଏପରିକି ବିଶ୍ଵରେ ମଧ୍ୟ ପରିଚୟ ପାଇଛି। ବଦଳିଛି କଳାହାଣ୍ଡିର ଭାଗ୍ୟ। କିନ୍ତୁ ଦୁର୍ଭାଗ୍ୟ ଆଜିବି ଅବହେଳିତ ଅବସ୍ଥାରେ ପଡିରହିଛି ବିଶ୍ଵ ପରିଚିତ ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପର ଜାନ୍ମଦାତ୍ରୀ। ଥୁଆମୂଳ ରାମପୁର ବ୍ଲକ ମର୍ଦିଗୁଡା ସ୍ଥିତ ଇନ୍ଦ୍ରାବତୀର ଏହି ଉତ୍ପତ୍ତି ସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ଏହାର ବିକାଶ ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦିର୍ଘ ଦିନରୁ ଦାବୀ ହୋଇ ଆସୁଥିଲା। ଗତ ଜାନୁଆରୀ ୧୪ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସି ବହୁ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ।
ଏହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀକୁ ଇନ୍ଦ୍ରାବତୀ ମାଆ ସମ୍ବୋଧନ କରି ଉତ୍ପତ୍ତି ସ୍ଥଳୀ ଠାରେ ଇନ୍ଦ୍ରାବତୀ ମନ୍ଦିର ନିର୍ମାଣର ପରିକଳ୍ପନା କରିଥିଲେ। ଏହାକୁ ସାକାର କରିବାକୁ ଯାଇ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ମାନ୍ୟବର ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପରିଦର୍ଶନ କରି ନୂତନ ରୂପରେଖର ଅନୁଧ୍ୟାନ କରିଥିଲେ। ସାଥିରେ ସ୍ଥାନୀୟ ତହସିଲଦାର ବିନୟ କୁମାର ଭୋଇ ଆସି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସହଯୋଗ କରିଥିଲେ। ଯାହା ଆଜି ବାସ୍ତବ ରୂପ ନେବାକୁ ଯାଉଛି।
ମାନ୍ୟବର ମନ୍ତ୍ରୀ ଶ୍ରୀ ମିଶ୍ର ଓ ବିଧାୟକ ଶ୍ରୀ ଦିଶାରଙ୍କ ନିର୍ଦେଶ କ୍ରମେ ଗୁରୁବାର ଥୁଆମୂଳ ରାମପୁର ବ୍ଲକ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ,ଓ କନିଷ୍ଠ ଯନ୍ତ୍ରୀ ଦଶରଥ ମାଝୀ ମର୍ଦିଗୁଡା ସ୍ଥିତ ଇନ୍ଦ୍ରାବତୀର ଉତ୍ପତ୍ତି ସ୍ଥଳୀକୁ ପହଞ୍ଚି ଏହାର ନକ୍ସା ପ୍ରସ୍ତୁତ କରିଛନ୍ତି। ଯାହା ବିଧାୟକ ଓ ମନ୍ତ୍ରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଅଞ୍ଚଳ ବାସୀଙ୍କ ଦିର୍ଘ ଦିନର ସ୍ୱପ୍ନ ପୂରଣ ହେବ ବୋଲି ଆଶା ବାନ୍ଧିଥିବା ବେଳେ ଏହି ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରାଯିବା ନେଇ ପ୍ରଶାସନକୁ ନିବେଦନ କରିଛନ୍ତି।ହେଲେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପ ଆରମ୍ବ କରିବାକୁ ସ୍ଥାନୀୟ ଲୋକଙ୍କ ଦାବୀ କରିଛନ୍ତି।