କଳାହାଣ୍ଡି, ୭|୯ (ନରୋତ୍ତମ ସେଲମା): ସୋମବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଛି। ତେବେ ଅସ୍ବଭାବିକ ଭାବେ ହୋଇଥିବା ବଜ୍ରପାତରେ ଜିଲ୍ଲାର ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସି ପହଞ୍ଚୁଛି। କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଲିଙ୍ଗରାଜ ରଣା (୩୭) ନାମକ ଜଣେ ଯୁବକ ମଧ୍ୟ ବଜ୍ରପାତରେ ପ୍ରାଣ ହାରାଇଛନ୍ତି। ଲିଙ୍ଗରାଜ ନିଜ କୃଷି କ୍ଷେତରେ ଥିବାବେଳେ ହଠାତ ବଜ୍ରପାତ ଘଟି ତାଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ବିଧବା ପତ୍ନୀ ସମେତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଖବର ପାଇ ରିଷିଡା ପୁଲିସ ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଆଜି (ମଙ୍ଗଳବାର) ମ.ରାମପୁର ଠାରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ବଜ୍ରପାତରେ ମୃତ୍ୟୁ ହୋଇଥିବାରୁ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଦାବୀ ହୋଇଛି।