ତାଲିମପ୍ରାପ୍ତ ପରେ ବେରୋଜଗାର: କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତି ସୃଷ୍ଟି ପାଇଁ ବିଆଇଇିଟି ଏବଂ ଡିଆଇଇଟି ପ୍ରଶିକ୍ଷାର୍ଥୀଙ୍କ ଦାବି

ରାୟଗଡ, ୭|୯ (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ ପ୍ରାଥମିକ ଶିକ୍ଷା ବିଭାଗର ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ (ଡିଆଇଇଟି) ବିଷମକଟକ ଓ ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ (ବିଆଇଇଟି) ଗୁଣପୁର ଠାରେ ଡିପ୍ଳୋମା ତାଲିମ ନେବା ସହ ଓଟିଇଟି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ବେରୋଜଗାର ହୋଇ ରହିଥିବାରୁ ସରକାର ଶିକ୍ଷା ବିଭାଗରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତି ବିଜ୍ଞାପନ ବାହାର କରି ସେମାନଙ୍କୁ ଗାଇଡଲାଇନ ଅନୁସାରେ ନିଯୁକ୍ତ କରିବା ଦାବି ନେଇ ଛାତ୍ରଛାତ୍ରୀ ଫେଡେରେସନ୍‌ର ତରଫରୁ ଜିଲ୍ଳାପାଳ ଏବଂ ଜିଲ୍ଳା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଝିପି ଝିପି ବର୍ଷା ସ୍ୱତ୍ବେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଏବଂ ଜିଲ୍ଳା ପ୍ରଶାସନର ଉଦାର ମନୋଭାବକୁ ନିନ୍ଦା କରି ବିଭିନ୍ନ ସ୍ଳୋଗାନ ଦେଇ ନଗର ପରିକ୍ରମା କରି ପଂହଚିଥିଲେ । ଶିକ୍ଷା ବିଭାଗରେ କନିଷ୍ଠ ଶିକ୍ଷକ ଆଶାୟୀ ପଦବୀ ସୃଷ୍ଟି ନିମନ୍ତେ ସରକାରଙ୍କ ଶିକ୍ଷା ବିଭାଗ ବିଜ୍ଞାପନ ପ୍ରକାଶ କରନ୍ତୁ ବୋଲି ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀମାନେ ଦାବି କରିଥିଲେ ।

ସେହିପରି ଭୁବନେଶ୍ୱର ଠାରେ ମଧ୍ୟ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆର୍ଥିକ ଅକ୍ଷମତା ଯୋଗୁଁ ଭୁବନେଶ୍ୱର ନ ଯାଇ ପାରି ରାୟଗଡ ଜିଲ୍ଳା କନିଷ୍ଠ ଶିକ୍ଷକ ସଂଘ ପ୍ରଶିକ୍ଷାର୍ଥୀମାନେ ରାଜ୍ୟ ସଂଘକୁ ସମର୍ଥନ ଜଣାଇ ଏଠାରେ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରୁଛୁ ବୋଲି ମନୋଜ କୁମାର କୈାଶଲ୍ୟା ପ୍ରକାଶ କରିଥିଲେ । ରାୟଗଡ ଜିଲ୍ଳାର ବିଷମକଟକ ସ୍ଥିତ ଡିଆଇଇଟି ଏବଂ ଗୁଣପୁର ସ୍ଥିତ ବିଆଇଇଟି କେନ୍ଦ୍ରରୁ ପ୍ରତ୍ୟେକ ବର୍ଷ ୨ଶହ ଜଣ ପ୍ରଶିକ୍ଷାର୍ଥୀ ଉତୀର୍ଣ୍ଣ ହେଉଥିବା ବେଳେ ଗତ ୨୦୧୬ବର୍ଷରୁ ୨୦୨୧ବର୍ଷ ମଧ୍ୟରେ ସରକାର କନିଷ୍ଠ ଶିକ୍ଷକ ପଦବୀ ସୃଷ୍ଟି କରି ନ ଥିବାରୁ ହଜାର ସଂଖ୍ୟକ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀମାନେ ବେରୋଜଗାର ହୋଇ ବସିଛନ୍ତି । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଲେ ସେମାନେ ଆବେଦନ କରି ନିଜର ଯୋଗ୍ୟ ଦକ୍ଷତା ଅନୁସାରେ ନିଯୁକ୍ତି ପାଇଲେ ନିଜ ଓ ନିଜ ପରିବାର ପାଇଁ ଏବଂ ଏକ ଶିକ୍ଷିତ ସମାଜ ଗଠନରେ ସହାୟକ ହୋଇପାରିବେ ବୋଲି ଆଶା ରଖିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସନ୍ତୋଷ ପଣ୍ଡୁରୁ, ରୁବିକା ମାଝି, କାଡ୍ରକା ଚନ୍ଦ୍ରଶେଖର, ହେମନ୍ତ ନିଶିକା, ଅରବିନ୍ଦ ମାଝି, ତପନ ମାଣ୍ଡିକା, ଜଳନ୍ଧର ହୁଇକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.