‘ପୁଷ୍ଟିକର ବଗିଚା’ ସମ୍ବନ୍ଧରେ କଲ୍ୟାଣ ବିଭାଗ ଶିକ୍ଷକଙ୍କୁ ଦିନିକିଆ ତାଲିମ ଶିବିର

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କୋଲନରା ବ୍ଳକ ଅନ୍ତର୍ଗତ କୈଳାସପୁର ସରକାରୀ ଉଚ୍ଚ ମାଧ୍ୟମିକ ଏସଏସଡି ହାଇସ୍କୁଲ ଠାରେ କେୟାର ଇଣ୍ଡିଆ (ସିଆଇଏସଡି) ସଂସ୍ଥା ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି ଦିନିକିଆ ‘ପୁଷ୍ଟିକର ବଗିଚା’ସମ୍ବନ୍ଧରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇପାରିବେ ଏଥି ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ପନିପରିବା ବଗିଚା ପ୍ରସ୍ତୁତ କରାଯାଇ ସେଥିରୁ ପନିପରିବା ଉତ୍ପାଦନ କରାଯାଇ ପିଲାମାନଙ୍କୁ ଖାଦ୍ୟ ରୂପରେ ଦିଆଯିବାର ତାଲିମ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଜଣାପଡିଛି ।

ଗତ ଜୁଲାଇ ମାସରେ କେୟାର ଇଣ୍ଡିଆ ଏବଂ ଆଦିବାସୀ କଲ୍ୟାଣ ବିଭାଗ ସହିତ ଏହି ସମ୍ବନ୍ଧରେ ଏକ ଚୁକ୍ତିନାମା ସ୍ୱାକ୍ଷାରିତ ହୋଇଥିଲା । କେୟାର ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ପକ୍ଷରୁ କଲ୍ୟାଣ ବିଭାଗର ସମସ୍ତ ଶିକ୍ଷକଙ୍କୁ ତାଲିମ ଦେଇ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, କେୟାର ଇଣ୍ଡିଆ ଓଡିଶା ଶାଖାର ଉପନିର୍ଦ୍ଦେଶକ ଅରୂପ ଦାସ ତାଲିମ ଶିବିରକୁ ପରିଚାଳନା କରିଥିଲେ ।


ଏଥିରେ ଜିଲ୍ଳାର ୨୯ଗୋଟି ସ୍କୁଲର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ମଣ୍ଡଳଧୀଶ ବିନ ବିହାରୀ ପଟ୍ଟନାୟକ, ରାୟଗଡା ଅତିରିକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀ ସଲମନ ରାଇକା ଓ ଗୁଣପୁରର ଶ୍ରୀନିବାସ ଆଚାରୀ, ଜିଲ୍ଳା କଲ୍ୟାଣ ବିଭାଗ ଶିକ୍ଷକ ସଂଘର ଉପସଭାପତି ତଥା କୃଷି ଶିକ୍ଷକ ପ୍ରଦୀପ କୁମାର ଚୈାଧୁରୀ, ରମେଶ ଦାସ, ଦେବେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ କ୍ଳାସ-୩ରୁ କ୍ଳାସ ୨କୁ ପଦୋନ୍ନତି ପାଇଥିବା ବିପିନ ବିଶ୍ୱାଳ, ଭୀମ ନିମାଲା ଏବଂ ଗୈାରୀ ଶଙ୍କର ମିଶ୍ର ତିନି ଜଣଙ୍କୁ ଜିଲ୍ଳା ମଙ୍ଗଳ ଅଧିକାରୀ ଶ୍ରୀ ଶତପଥି ଏବଂ ଶିକ୍ଷା ମଣ୍ଡଳଧୀଶ ଶ୍ରୀ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ଶେଷରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.