ଓଏସଡବ୍ଳ୍ୟୁସି ଗୋଦାମ ପରିସର ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳି, ପୋଲିସ ପେଟ୍ରୋଲିଂ ପାଇଁ ଦାବି

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଟାଉନ ଥାନା ଅଧିନସ୍ଥ ସାଇ ଇଂଟରନ୍ୟାସନାଲ ଛକରୁ ବାରିଝୋଲା ଯିବା ମୁଖ୍ୟ ରାସ୍ତା କଡରେ ତଥା ପୁରୁଣା ପୋଲିସ ରିଜର୍ଭ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଓଡିଶା ରାଜ୍ୟ ପଣ୍ୟଗାର ନିଗମ (ଓଏସଡବ୍ଳ୍ୟୁସି) ଗୋଦାମ ପରିସର ଏବେ ମଦୁଆଙ୍କ ପାଇଁ ସୁରକ୍ଷିତ ଆଡ୍ଡାସ୍ଥଳୀ ପାଲଟିଛି । ଗୋଦାମ ଚାରିପାଖରେ ପାଚେରୀ ନ ଥିବାରୁ ସଂଜ ହେଲେ ଅନ୍ଧାରର ସୁଯୋଗ ନେଇ ବିନା ପୋଲିସ ଭୟରେ ଗୋଦାମ ବାରଣ୍ଡାକୁ ଅସାମାଜିକ ଲୋକେ ତଥା ମଦୁଆମାନେ ନିଜ ଆଡ୍ଡାସ୍ଥଳ ଭାବେ ବ୍ୟବହାର କରୁଛନ୍ତି । ପ୍ରତିଦିନ ରାତ୍ରରେ ଗୋଦାମ ବାରଣ୍ଡାରେ ମଦୁଆମାନେ ମଦ ପିଇ ବୋତଲଗୁଡିକ ଫୋଫାଡି ଭାଙ୍ଗିବା ଦ୍ୱାରା ପଡିଥିବା ଭଙ୍ଗା କାଚକୁ ମାଡି ଅଧିକାରୀ, କର୍ମଚାରୀ, ଗାଡି ଡ୍ରାଇଭର, ହେଲପର ଓ ଖଲାସୀମାନେ ଆହତ ହେଉଛନ୍ତି । ମଦୁଆଙ୍କ ଏପରି କ୍ରିୟାକଳାପ ବିରୁଦ୍ଧରେ ଓଏସଡବ୍ଳ୍ୟୁସି ମ୍ୟାନେଜର ବିଧାନ ମହାନ୍ତି ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସେ ଗତ ମାସ ସେପ୍ଟେମ୍ବର୧୫ତାରିଖରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କିଛି ଦିନ ଧରି ପୋଲିସ ପେଟ୍ରୋଲିଂକୁ ଉକ୍ତ ଅଂଚଳରେ କଡାକଡି କରାଯାଇ କିଛି ଅସାମାଜିକ ଲୋକଙ୍କୁ ଘଟଣାସ୍ଥଳରୁ ପୋଲିସ ଉଠାଇ ନେଇଥିଲା ।


ତେବେ ବର୍ତମାନ ଆଉ ପୂର୍ବ ଭଳି ପୋଲିସ ପେଟ୍ରୋଲିଂ ହେଉ ନ ଥିବାରୁ ପୁଣି ଥରେ ମଦୁଆମାନେ ଗୋଦାମ ବାରଣ୍ଡାକୁ ନିଜ ଆଡ୍ଡାସ୍ଥଳ କରିଦେଇଥିବା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଉକ୍ତ ଗୋଦାମରେ କୋଟି କୋଟି ଟଙ୍କାର ପିଡିଏସ ସାମଗ୍ରୀ ମହଜୁଦ ରହୁଥିବା ବେଳେ ମଦୁଆ ତଥା ଅସାମାଜିକ ବ୍ୟକ୍ତିଙ୍କ କ୍ରିୟାକଳାପକୁ ନେଇ ଗୋଦାମରେ ଥିବା ଖାଦ୍ୟଶସ୍ୟକୁ ସୁରକ୍ଷିତ ମଣୁନାହାନ୍ତି ବିଭାଗୀୟ ଅଧିକାରୀ । ତେଣୁ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ପୂର୍ବପରି କରାଗଲେ ପୋଲିସ ଭୟରେ ମଦୁଆଙ୍କ ଆଉ ଉପସ୍ଥିତ ଜାହିର ହେବ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.