ବଁଚିଥିଲା ଧାନ୍ ଇଛେନ୍ ମରୁଛେ, ବିହନ୍ ଫିର୍‌ବାର୍ ମୁସ୍କିଲ ଏ

● ବର୍ଷା ହେଲାନି କି ଉତେଇ କେନାଲ ପାଣି ଆବଂଟନ କରିପାରିଲାନି…

କଳାହାଣ୍ଡି, (ନରୋତ୍ତମ ସେଲମା): ଏ ବର୍ଷ ଚାଷକାମ ଆରମ୍ଭରୁ ମରୁଡି ରଣହୁଙ୍କାର ଦେଇ ଆସୁଛି । ତଥାପି ଯେଉଁ ଚାଷୀ କଷ୍ଟେମଷ୍ଟେ ଧାନଗଛ ବଂଚାଇ ଥିଲା, ତାର ଶେଷ ଆଶା ଥିଲା ଲଘୁଚାପ ବର୍ଷା ଉପରେ । କିନ୍ତୁ ଲଘୁଚାପ ବି ଧୋକା ଦେଲା । ବର୍ଷା ଅଭାବରୁ ବଂଚିଥିବା ଧାନଗଛ ଗୁଡିକ ଏବେ ଶୁଖିତାଟି ଗଲାଣି । ମାଟି ଫାଟି ଆଁ କରିଛି । ଅନ୍ତତଃ ବୁଣିଥିବା ବିହନ ଫେରିପାଇବ ବୋଲି ଆଶା ରଖିଥିବା ଚାଷୀ ଏବେ ସଂପୂର୍ଣ ହତାଶ । ଚାଷକାର୍ଯ୍ୟ ଜନିତ ଖର୍ଚ୍ଚ ଭରଣ କରିବା ତ ଦୂରର କଥା ବିହନ ଫେରିପାଇବା ମୁସ୍କିଲ ହୋଇପଡିଛି । ଏପରି ଚିତ୍ର ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକର ବିିଭିନ୍ନ ଅଂଚଳରେ । ସବୁଠୁ ପରିତାପର କଥା ଉତେଇ ଜଳସେଚନ ଯୋଜନାରେ ମିଳୁଥିବା କେନାଲ ପାଣି ବି ଏଥର ଧୋକାଦେଲା । କେନାଲ କତୃପକ୍ଷ ବି ହାତଟେକି ଦେଲେ । କେନାଲରେ ଆସୁଥିବା ସ୍ୱଳ୍ପପାଣିକୁ ଉପରମୁଣ୍ଡର ଚାଷୀ ମାନେ ବସ୍ତା ଦେଇ ଅଟକାଇ ଦେଉଛନ୍ତି । ଉତେଇ କେନାଲର କୌଣସି ଅଧିକାରୀ ଆଦୌ ପର୍ଯ୍ୟବେକ୍ଷଣ କରୁନାହାନ୍ତି । କେନାଲ ପାଣି ପରିଚାଳନା ପାଇଁ ଗଠିତ ପାଣି ପଂଚାୟତର କାର୍ଯ୍ୟକାଳ ଶେଷ ହୋଇଥିବାରୁ ସେମାନେ ବି ପାଖ ମାଡୁ ନାହାନ୍ତି । ଏପରି ସ୍ଥଳେ ତଳମୁଣ୍ଡର ଚାଷୀ କିପରି ପାଣି ପାଇପାରିବ ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି । ଯିଏ ପାରିଲା ସିଏ କେନାଲକୁ ଅବରୋଧ କରୁଛି ହେଲେ ବିଭାଗୀୟ କତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାନ୍ତି । ଚାଷୀ ଅଯଥା ଜଳକର ପୈଠ କରୁଛି । ଏଣେ ଅଦ୍ୟାବଧି ମରୁଡି ଜନିତ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ । ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କର୍ଲାମୁଣ୍ଡା ବ୍ଲକର ରିଷିଡା, ପୌରକେଲା, ଗଜବାହାଲ, ତେରେସିଂହା, ରିଂଜା, ଏସ୍‌.ମାଲପଡା, କର୍ଲାମୁଣ୍ଡା ଓ ରାଜପୁର ପଂଚାୟତର ଶହ ଶହ ଏକର ଧାନଚାଷ ପ୍ରଭାବିତ ହୋଇଛି । ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ କ୍ଷତିଗ୍ରସ୍ଥ ଚାଷୀ ଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.