କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ମ୍ୟୁନିସିପାଲିଟିରେ ୫୮ଟି ବସ୍ତି ରହିଥିବା ବେଳେ ଏହାର ବିକାଶ ନିମନ୍ତେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ଅତିରିକ୍ତ ତହସିଲଦାର ସସ୍ମିତା ଜେନା, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବିଭୁ ରଞ୍ଜନ ସେଠୀ, ସମାଜସେବୀ ଭବାନୀ ଶଙ୍କର ମିଶ୍ର, ଅଧ୍ୟାପକ ରବି ଶତପଥୀ ପ୍ରମୁଖଙ୍କ ସହ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗ ଦେଇ ଆଲୋଚନା କରିଥିଲେ। ବସ୍ତିରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ କରଣ, ଷ୍ଟ୍ରିଟ ଲାଇଟ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ୫୮ଟି ବସ୍ତିରୁ ୩୫ଟିରେ କାର୍ଯ୍ୟ ଶେଷ ହୋଇଥିବା ବେଳେ ୬ଟି ବସ୍ତିରେ କାର୍ଯ୍ୟ ଚାଲୁଥିବା ବେଳେ ୧୭ଟି ବସ୍ତିରେ କାର୍ଯ୍ୟ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତରାୟ ସୂଚନା ଦେଇଅଛନ୍ତି।