ସାଗର ବେଳାରେ ବସିଥିଲି ମୁହିଁ
ଗଢ଼ୁଥିଲ ବାଲି ଘର
ତୁମ ମୋଅ ନାଆଁ ଯେତେ ଲେଖିଲେବି
ଧୋଇନେଲା ସେ ଜୁଆର ।
ଶଙ୍ଖ ହୁଳହୁଳି ମହୁରୀ ବାଜିଲା
ତୁମରି ଗାଆଁ ଦାଣ୍ଡରେ
ଫୁଲସବାରିରେ ନବବଧୂ ସାଜି
ନଇଁ ଚାଲୁଥିଲି ଧିରେ ।
ମୋ ପାଦ ପାଉଁଜି ରୁଣୁଝୁଣୁ ବାଜେ
ମଧୁ ସମୀରଣ ଝରେ
ତୁମରି ଗାଆଁର ବଉଳ ବାସରେ
ମଧୁମାସ ହାତଠାରେ ।
ବସନ୍ତବି ଅଛି ମଳୟ ବହୁଛି
ତୁମେ ସାଥୀ ବହୁ ଦୂରେ
ତୁମରି ଗାଆଁରୁ ବିରହ ରାଗିଣୀ
କୋକିଳ କଣ୍ଠରୁ ଝରେ ।
ଅନତିଦୂରରୁ ଜୟ ଜୟ ଘୋଷେ
ଥରୁ ଥିଲା ତୁମ ଗାଆଁ
ସହୀଦ ଯବାନ ଅମର ରହରେ
କାନ୍ଦି କହୁ ଥିଲା ଆହା ।
ଜନ ସମୁଦ୍ରରେ ଭାସୁଥିଲା ଗାଆଁ
ତିମିରିତ ଶୋକାତୁରା
ତ୍ରିରଙ୍ଗା କେତନେ ମୁହଁକୁ ଲୁଚାଇ
ସୁଖନିଦ୍ରା କୋଳେ ତୋରା ।
ତୁମରି ଗାଆଁର ଶମସାନ ଭୂମି
ଆଦରେ ନେଲା କୋଳେଇ
ନିଡ ଭାଙ୍ଗିଗଲା ପକ୍ଷୀ ଉଡିଗଲା
କପୋତୀ ଝୁରି ମରଇ ।
ଦେଇଥିଲ କଥା ଏସନ ଫଗୁଣେ
ଗାଆଁକୁ ଦେବ ରଙ୍ଗେଇ
ଫଗୁଣରୁ ଆଜି ଫଗୁ ଉଡିଗଲା
ଗାଆଁଠୁ ଗଲ ଦୂରେଇ ।