ଅର୍ଦ୍ଧନିର୍ମିତ ହୋଇ ପଡି ରହିଛି ଝଂଜାବତୀ ସେତୁ ସମେତ କାଶିପୁର ବ୍ଳକର ୪ଟି ସେତୁ

● ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ବ୍ରିଜ୍ ଉପରେ ଯାତାୟାତ କରୁଛନ୍ତି ଲୋକେ

ରାୟଗଡା, (ଶିବ ନାରାୟଣ ଗୈାଡ): ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ବ୍ରିଜ୍ ଉପରେ ଯାତାୟାତ କରୁଛନ୍ତି ଲୋକେ । ତେବେ ସବୁ ଜାଣିଶୁଣି ଚୁପ୍ ବସିଛି ରାୟଗଡା ଜିଲ୍ଳା ପୂର୍ତ ବିଭାଗ । ରାୟଗଡା-କେରଡାକୁ ସଂଯୋଗ କରୁଥିବା ମା ମଝିଘରିଆଣୀ ମନ୍ଦିର ନିକଟସ୍ଥ ଝଂଜାବତୀ ନାଳ ଉପରେ ଥିବା ଶତାୟୁ ବିଜ୍ରର ସମୟ ସୀମା ଶେଷ ହୋଇଯାଇଥିବା ବେଳେ ଉକ୍ତ ବ୍ରିଜ ଉପରେ ଏବେ ବି ଶତାଧିକ ମାଲବାହୀ, ଯାତ୍ରୀବାହୀ ଯାନବାହନ ଚଳାଚଳ କରୁଛନ୍ତି । ପ୍ରଶାସନ ପକ୍ଷରୁ ଉକ୍ତ ବ୍ରିଜରେ ୧୦ଟନରୁ ଅଧିକ ମାଲବାହୀ ଟ୍ରକଗୁଡିକ ଚଳାଚଳ କରିବା ପାଇଁ ନିଷେଧାଦେଶ ଜାରି ହୋଇଥିଲେ ସୁଦ୍ଧା ଏହାକୁ ଅଣଦେଖା କରି ଟ୍ରକଗୁଡିକ ଚଳାଚଳ କରୁଥିବା ଦେଖିବାକୁ ମିିଳିଛି । ଏହାର ବିକଳ୍ପକୁ ନେଇ ପୂର୍ତ ବିଭାଗ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବ୍ରିଜ୍ ନିର୍ମାଣ ନିମନ୍ତେ ଗତ ୨୦୧୭ ମସିହାରେ ଟେଣ୍ଡର ଆହ୍ୱାନ କରାଯାଇ ଏସଭିଏସ ମୁକାମ୍ବିକା କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ ସୁପର କ୍ଳାସ ଏଜେନ୍ସିକୁ ରାୟଗଡା-କେରଡା ରାସ୍ତା ମଧ୍ୟରେ ଥିବା ଝଂଜାବତୀ ନାଳ ଉପରେ ରାଜ୍ୟ ଯୋଜନା ଅନ୍ତର୍ଗତ ୧୦୩୪.୪୭ ଲକ୍ଷ ଟଙ୍କାର ଚୁକ୍ତିନାମା ପ୍ରକାରେ ଉକ୍ତ ବର୍ଷର ଏପ୍ରିଲ ୧୫ତାରିଖରେ କାର୍ଯ୍ୟାରମ୍ଭ ତାହାର ଏକ ବର୍ଷ ସମୟ ସୀମା ମଧ୍ୟରେ ୨୦୧୮ ମସିହା ଏପ୍ରିଲ ୧୪ ତାରିଖରେ କାର୍ଯ୍ୟ ଶେଷ କରିବା ପାଇଁ କୁହାଯାଇଥିଲା ।


ତେବେ କାର୍ଯ୍ୟାରମ୍ଭ ହୋଇ ଝଂଜାବତୀ ନାଳ ଦୁଇ ପାଶ୍ୱର୍ରେ ଆଜି ସୁଦ୍ଧା କେବଳ ୨ଟି ପିଲର୍ ଛଡା ଆଉ କିଛି କାର୍ଯ୍ୟ ଅଗ୍ରଗତି ହୋଇ ନ ଥିବା ବେଳେ ଉକ୍ତ ବ୍ରିଜ କାର୍ଯ୍ୟର ପୁନଃ ନିରୀକ୍ଷଣ ସହ ନୂଆ ଡ୍ରଇଂ ଓ ଅଟକଳର ମଂଜୁରୀ ହୋଇ ନ ଥିବାରୁ ଦୀର୍ଘ ୩ବର୍ଷ ଧରି ଅଧପନ୍ତରିଆ ଭାବେ ଉକ୍ତ ବ୍ରିଜ କାର୍ଯ୍ୟ ପଡିରହିଛି ଏବଂ ବିଲ୍ ବାବଦକୁ ୮୪୩.୫୫ ଲକ୍ଷ ଟଙ୍କା ଖର୍ଚ୍ଚାନ୍ତ ହୋଇଥିବା ଜଣାପଡିଛି । ସେହିପରି ଟେଣ୍ଡର ପାଇଥିବା ସଂସ୍ଥାଟି ବ୍ରିଜ୍ ନିର୍ମାଣ କାର୍ଯ୍ୟ ସମୟ ସୀମା (ୟୁଟି) ପାଇଁ ଆସନ୍ତା ଜୁନ୍ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିଥିବା ବେଳେ ଏ ନେଇ ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମତି ଯମୁନା ବେହେରାଙ୍କୁ ପଚାରିବାରୁ ଯଥାଶୀଘ୍ର ଉକ୍ତ ବ୍ରିଜ୍ କାର୍ଯ୍ୟ ସଂପୂର୍ଣ୍ଣ କରାଯିବା ନେଇ କାର୍ଯ୍ୟଧାରାରେ ଅଗ୍ରଗତି କରାଯାଇଛି ବୋଲି କହିଛନ୍ତି । ଝଂଜାବତୀ ସେତୁ ଭଳି ଅଧାରେ ଅଟିକିଛି ରାୟଗଡ ଜିଲ୍ଳା କାଶିପୁର ବ୍ଳକର ଆଉ ୪ଟି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍ର ନିର୍ମାଣ କାର୍ଯ୍ୟ । ସେଗୁଡିକ ମଧ୍ୟରେ ରହିଛି କାଶିପୁରର ଲାଇଫ ଲାଇନ କୁହାଯାଉଥିିବା କୁଟିଙ୍ଗଗୁଡା ନାଳ ବ୍ରିଜ ସହ କୁଚେଇପଦର, ଯୋଗିପାରିତୁଣ୍ଡା ଓ କୋଡିପାରି ନାଳ ଉପରେ ନିର୍ମାଣଧୀନ ଥିବା ବ୍ରିଜଗୁଡିକ ।


କୁଟିଙ୍ଗଗୁଡା ନାଳ ସେତୁ କାର୍ଯ୍ୟ ଗତ ୨୦୧୬ ବର୍ଷ ଠାରୁ ଆରମ୍ଭ ହୋଇଥିିଲେ ସୁଦ୍ଧା ଦୀର୍ଘ ୫ବର୍ଷ ହେବ ଅସଂପୂର୍ଣ୍ଣ ଅବସ୍ଥାରେ ପଡି ରହିଛି ଏବଂ ଏଯାବତ୍ ଶେଷ ହେବାର ନାଁ ଧରୁନି । ଅପରପକ୍ଷେ ପୂର୍ତ ବିଭାଗ କିମ୍ବା ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣ ଜନତାଙ୍କ ଅଭିଯୋଗ ମଧ୍ୟ ପୁରୁଣା ହୋଇଗଲାଣି । ପଡୋଶୀ କୋରାପୁଟ ଓ କଳାହାଣ୍ଡି ସମେତ କାଶିପୁର ବ୍ଳକକୁ ରାୟଗଡ ଜିଲ୍ଳା ସଦର ମହକୁମା ସହ ଯୋଡୁଛି ଏହି କୁଟିଙ୍ଗଗୁଡା ନାଳ ସେତୁ । କୁଟିଙ୍ଗଗୁଡା ନାଳ ଉପରେ ଥିବା ପୁରୁଣା ପୋଲ ଅତି ସଂକୀର୍ଣ୍ଣ ତଥା ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହି ନାଳ ଉପରେ ୫୧ମିଟର ଲମ୍ବ’ର ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ କରିବା ପାଇଁ ବିଭାଗ ତରଫରୁ ୨୦୧୬ ବର୍ଷରେ ୩କୋଟି ୬୭ଲକ୍ଷ ୩୪ହଜାର ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । କାଶିପୁର ବ୍ଳକ କୁଚେଇପଦର ଗ୍ରାମର ଠିକାଦାର ଗଜେନ୍ଦ୍ର ନାୟକ ଏହି ସେତୁ ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ପାଇଥିଲେ ।


୨୦୧୬ବର୍ଷର ସେପ୍ଟେମ୍ବର ୧ତାରିଖରୁ କାର୍ଯ୍ୟାରମ୍ଭ ଓ ୨୦୧୭ ନଭେମ୍ବର ୩୦ତାରିଖରେ ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ କରାଯିବାର ସମୟ ସୀମା ରହିଥିଲା । ଟେଣ୍ଡର ପାଇବା ପରେ ଠିକାଦାର ଜଣକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସେତୁ ନିର୍ମାଣ କାର୍ଯ୍ୟର ସମୟସୀମା ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁଟି ସଂପୂର୍ଣ୍ଣ ହୋଇ ପାରି ନ ଥିବା ବେଳେ ନାଳର ଉଭୟ ପାଶ୍ୱର୍ରେ ଦୁଇଟି ଆବୁଟମେଂଟ ସହ ଗୋଟିଏ ସ୍ଳାବ ପଡିବା ପର୍ଯ୍ୟନ୍ତ କାର୍ଯ୍ୟ ଶେଷ କରାଯାଇ ଏହି ବାବଦକୁ ୨କୋଟି ୪୭ଲକ୍ଷ ୭୦ହଜାର ଟଙ୍କାର ବିଲ କରାଯାଇ ସାରିଛି । ତେବେ ଆଉ ଗୋଟିଏ ସ୍ଳାବ ନ ପଡିବା ହେତୁ ସେତୁଟି ଅସଂପୂର୍ଣ୍ଣ ଅବସ୍ଥାରେ ଦୀର୍ଘ ୪ବର୍ଷ ହେବ ପଡି ରହିଛି । ଫଳରେ ଲୋକେ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ପୁରୁଣା ପୋଲ ଉପରେ ପୁଣି ଥରେ ନିର୍ଭର କରି ଆସୁଛନ୍ତି । ସେହିପରି ବିନୋଦିନି ଇନଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍ ଲିମିଟେଡ୍ ନାମକ ଏଜେନ୍ସି ପକ୍ଷରୁ ଗତ ୨୦୧୭ ମସିହାରେ କାଶିପୁର ବ୍ଳକର ପୂର୍ତ ବିଭାଗ ଅଧିନସ୍ଥ କୁଚେଇପଦର ନାଳ ଉପରେ ଉଚ୍ଚ ସ୍ତରୀୟ ବିଜ୍ ନିର୍ମାଣ ନିମନ୍ତେ ୫୧୯.୫୬ଲକ୍ଷ ଟଙ୍କା, କୋଡିପାରି ନାଳ ଉପରେ ୬୫୬.୩୯ ଲକ୍ଷ ଟଙ୍କା ଓ ଯୋଗିପାରିତୁଣ୍ଡା ନାଳ ଉପରେ ଉଚ୍ଚସ୍ତରୀୟ ବ୍ରିଜ୍ ନିର୍ମାଣ ନିମନ୍ତେ ୭୪୨.୩୨ଲକ୍ଷ ଟଙ୍କା ଅଟକଳରେ ଟେଣ୍ଡର ପ୍ରଦାନ କରାଯାଇଥିଲା । ତେବେ ଉକ୍ତ ଏଜେନ୍ସି ପକ୍ଷରୁ ମନ୍ଥର ଗତିରେ କାର୍ଯ୍ୟ ଚାଲୁ ଥିବାରୁ ବର୍ଷ ବର୍ଷ ଧରି ଉକ୍ତ ୩ଟି ବ୍ରିଜ୍ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନାହିଁ । ତେବେ ଏ ନେଇ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏଜେନ୍ସି ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସାଧାରଣ ଲୋକେ ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.