ସନ୍ତୋଷ କର ପାଇବେ ଦେବଗିରି ଶିକ୍ଷା ସମ୍ମାନ: ସାହିତ୍ୟରେ ସୁରେଶ ସାଗର, ସମାଜସେବାରେ ଦୀପକ ସାହୁ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ମର୍ଯ୍ୟାଦାଜନକ ଦେବଗିରି ଶିକ୍ଷା ସମ୍ମାନ ପ୍ରଦାନ କରାଯିବ । ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁ୍‌ଷ୍ଠାନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବିଜ୍ଞାନ ଲେଖକ ତଥା ଗବେଷକ ସନ୍ତୋଷ କୁମାର କର ଅନେକ ଜାତୀୟ ସ୍ତରୀୟ ବିଜ୍ଞାନ ପରିଯୋଜନାରେ ସଦସ୍ୟ ରହିଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ବିଜ୍ଞାନ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ପରିବେଶ ଶିକ୍ଷା ପାଇଁ ମଧ୍ୟ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସେହିପରି ଭାବେ ବିଶିଷ୍ଟ କବି ସୁରେଶ ସାଗର ପାଇବେ ଦେବଗିରି ସାହିତ୍ୟ ସମ୍ମାନ । ‘ଅଜ୍ଞାତବାସ’, ‘ଅନ୍ତରଙ୍ଗ ଆକାଶ’ ଆଦି କବିତା ସଂକଳନର ସ୍ରଷ୍ଟା ଶ୍ରୀ ସାଗରଙ୍କ କବିତାରେ ଥାଏ ସ୍ୱପ୍ନ, ପ୍ରେମ ଓ ଜୀବନବୋଧର କଥା । ପୂର୍ବରୁ ସେ ନିର୍ମାତା, ତୀରତରଙ୍ଗ ଆଦି ସାହିତ୍ୟ ପତ୍ରିକା ଏବଂ ରେମ୍‌ସାମ୍ ସମ୍ବାଦପତ୍ରର ସଂପାଦନା ସହ ଜଡ଼ିତ ଥିବାବେଳେ ସଂପ୍ରତି ପ୍ରମେୟ ମୁଖ୍ୟ କାର୍ଯ୍ୟାଳୟରେ ସହ-ସଂପାଦକ ଭାବେ କାର୍ଯ୍ୟରତ । ବିଶିଷ୍ଟ ସମାଜସେବୀ ଦୀପକ ରଂଜନ ସାହୁଙ୍କୁ ଚଳିତ ବର୍ଷର ଦେବଗିରି ସମାଜସେବା ସମ୍ମାନ ପ୍ରଦାନ କରାଯିବ । ଜୁନାଗଡ଼ ନିବାସୀ ଶ୍ରୀ ସାହୁ ନିଜସ୍ୱ ଅଙ୍ଗଦାନ କରିବା ସହ ରକ୍ତଦାନ, ଗରିବ ପିଲାଙ୍କୁ ପାଠପଢ଼ାରେ ସାହାଯ୍ୟ, ବୃକ୍ଷରୋପଣ, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବସ୍ତ୍ର ବଣ୍ଟନ ଆଦି କାର୍ଯ୍ୟ ନିୟମିତ ଭାବେ କରିଆସୁଛନ୍ତି । ଯାଜପୁରରେ ଏକ ଜରାଶ୍ରମ ସ୍ଥାପନ କରି ବେସାହାରା ବୃଦ୍ଧବୃଦ୍ଧାଙ୍କ ଥଇଥାନ କରୁଛନ୍ତି । ସଂପ୍ରତି ଓଡ଼ିଶା ସରକାରଙ୍କ ନାନୋ ୟୁନିକର୍ନ୍ ପ୍ରକଳ୍ପରେ ଅବୈତନିକ ସଦସ୍ୟ ଭାବେ ଯୁବ ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି । ଏହି ଅବସରରେ ଭାରତୀୟ ସେନାରେ କାର୍ଯ୍ୟରତ ଯବାନ୍ ଭୂପେନ୍ଦ୍ର ଦୀପଙ୍କୁ ଦେବଗିରି ଦେଶସେବା ସମ୍ମାନ ଏବଂ ଭବାନୀପାଟଣା ବ୍ଲକ ଦୁଆରସୁନୀ ନିବାସୀ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଘୁମୁରା ଗୁରୁ କୈଳାସ ଚନ୍ଦ୍ର ନାଏକଙ୍କୁ ଦେବଗିରି ନାଟ୍ୟ ସମ୍ମାନ ପ୍ରଦାନ କରାଯିବ । କଳାହାଣ୍ଡିର କଳା, ସଂସ୍କୃତି ସଂରକ୍ଷଣରେ ଶ୍ରୀ ନାଏକଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ବେଳେ ଲୋକ ନାଟକ ଏବଂ ଲୋକନୃତ୍ୟର ପ୍ରଚାର ପ୍ରସାର ପାଇଁ ସେ ଆଜୀବନ ଉତ୍ସର୍ଗୀକୃତ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ୧୭ରୁ ୧୯ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୯ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ସଭାପତି ସଂଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.