ଭବାନୀପାଟଣା: କଳାହାଣ୍ଡିର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ କଳାହାଣ୍ଡି ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରତିମାସ ଭଳି ଏ ମାସ ମଧ୍ୟ କବିତା ଆସର ‘କାର୍ତ୍ତିକ କବିତା ପାଠୋତ୍ସବ’ ଗୁଗୁଲ ମିଟ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୋହନଲାଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସାହିତ୍ୟିକ ନୀଳଲୋହିତ ସିଂଦେଓ ମୁଖ୍ୟଅତିଥି, ସାହିତ୍ୟିକ ଗୌରାଙ୍ଗ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଶତପଥି ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଦକ୍ଷ ସାହୁ ସଭା ପରିଚାଳନା କରିଥିଲେ। ଯୁବ କଣ୍ଠଶିଳ୍ପୀ ଚିନ୍ମୟୀ ବୈଠାରୁ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କବି ଗୀତାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଯୁବକବି ପୁଣ୍ୟଦୀପା ଖମାରୀଙ୍କ କବିତା ସଂଯୋଜନାରେ କବି ମୀନା ମୁଣ୍ଡ, ଭୁବନେଶ୍ୱର ପୁରୋହିତ, ସ୍ନେହଲତା ଷଡଙ୍ଗୀ, ଗୀତାଞ୍ଜଳି ମହାନ୍ତି, ବବିତା ଶବର, ସୁଧୀର କୁମାର ଧଙ୍ଗଡାମାଝୀ, ମିନତୀ ପ୍ରଧାନ ପ୍ରମୁଖ ଚାଳିଶରୁ ଅଧିକ କବି କବିତା ପାଠ କରିଥିଲେ। ରମାକାନ୍ତ ସିଂ ସାହାଣୀ, ପ୍ରମୋଦ ଖମାରୀ ଓ ଗୋପାଳକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।