ନର୍ଲା: BDO ଦାୟିତ୍ୱରେ ତହସିଲଦାର, ଧିମେଇ ଯାଉଛି ତହସିଲ କାମ

● ଠିକ ସମୟରେ ମିଳୁନି ଅନଲାଇନ ସାର୍ଟିଫିକେଟ, ଲୋକେ ହନ୍ତସନ୍ତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଉଭୟ ତହସିଲଦାର ଓ ବିଡ଼ିଓ ପଦବୀ ସମ୍ଭାଳୁଥିବାରୁ ତହସିଲ କାର୍ଯ୍ୟାଳୟର ଅନେକ କାର୍ଯ୍ୟ ଧିମେଇ ଯାଉଥିବା ଜଣାପଡିଛି। ନର୍ଲା ବିଡ଼ିଓ ଯୁଧିଷ୍ଠିର ନାୟକଙ୍କ ବଦଳି ପରେ ତହସିଲଦାର ଶ୍ରୀ ତ୍ରିପାଠୀଙ୍କ ଉପରେ ନ୍ୟସ୍ତ ହୋଇଛି ବିଡ଼ିଓଙ୍କ ଦାୟିତ୍ୱ। ନର୍ଲାରେ ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦେବାପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିପାରିନାହିଁ। ଜଣେ ଅଧିକାରୀ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗର କାର୍ଯ୍ୟ ସଂପାଦନା କରୁଥିବାରୁ ଉଭୟ ତହସିଲ ଓ ବ୍ଲକ କାର୍ଯ୍ୟ ଠିକ୍ ଭାବରେ ହୋଇପାରୁନଥିବା ଚର୍ଚ୍ଚା ହେଉଛି। ଏହା ବ୍ୟତିରେକ ନର୍ଲା ରେଳଓ୍ବାଗନ କାରଖାନା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଥିବାରୁ ତହସିଲଦାରଙ୍କୁ ସେହି କାମ ମଧ୍ୟ ବୁଝିବାକୁ ପଡୁଛି। ଏମିତି ଅନେକ କାର୍ଯ୍ୟର ଚାପ ତହସିଲଦାରଙ୍କ ଉପରେ ରହିଥିବାରୁ ନର୍ଲା ତହସିଲର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଆଲୋଚନା ହେଉଛି।

Omkar Vasthu
Omkar Vasthu

ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସରକାର ଅନଲାଇନ ମାଧ୍ୟମରେ ବିଭିନ୍ନ ସାର୍ଟିଫିକେଟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ଲୋକେ ସୁବିଧାରେ ଘରେ ବସି ତହସିଲ କାର୍ଯ୍ୟାଳୟର ସେବା ପ୍ରାପ୍ତ କରିବାର ବ୍ୟବସ୍ଥା ରହିଛି। ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ ଅଧିନରେ ଥିବା ଗ୍ରାମମାନଙ୍କର ଜନସାଧାରଣ ଓ ହିତାଧିକାରୀମାନେ ଠିକ୍ ସମୟରେ ଏହି ସେବାର ଲାଭ ଉଠାଇ ପାରୁନଥିବା ଅଭିଯୋଗ ହେଉଛି। ପୂର୍ବରୁ ତହସିଲର କାର୍ଯ୍ୟ ମାନୁଆଲ ହେଉଥିଲା କିନ୍ତୁ ବର୍ତ୍ତମାନ ସେସବୁ ଅନଲାଇନ୍ ହୋଇଛି। ଲୋକେ ମ୍ୟୁଟେସନ, ୧୯-୧(ଏ)ସି, ୮(ଏ), ୨୨ଓଏଲଆର, ମୃତ୍ୟୁ ଦାଖଲ, ଜମିପଟ୍ଟା, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଇନକମ ସାର୍ଟିଫିକେଟ ଆଦି ବିବିଧ ପ୍ରକାରର କାର୍ଯ୍ୟ ଅନଲାଇନ ମାଧ୍ୟମରେ ତହସିଲକୁ ଆବେଦନ କରୁଛନ୍ତି। ଏହି ସବୁ ସେବା ପାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିଛି। ଲୋକେ ଘରେ ବସି ଏସବୁ ସେବା ପାଇବାର ସରକାରୀ ପ୍ରାବଧାନ ମଧ୍ୟ ରହିଛି। ତେବେ ଅନଲାଇନ ଆବେଦନ କରିବା ପରେ ହିତାଧିକାରୀମାନେ ୨/୩ଥର ନର୍ଲା ତହସିଲ କାର୍ଯ୍ୟାଳୟକୁ ଦଉଡିବା ପରେ ମଧ୍ୟ କାମ ହେଉନଥିବା ଅଭିଯୋଗ ହେଉଛି। ତହସିଲଦାର ପୂର୍ବପରି ଯଥେଷ୍ଟ ସମୟ ଦେଇପାରୁନଥିବାରୁ ନର୍ଲା ତହସିଲ କାର୍ଯ୍ୟାଳୟରେ ଧିମେଇ ଧିମେଇ ଫାଇଲ କାର୍ଯ୍ୟ ଚାଲୁଥିବା ଚର୍ଚ୍ଚା ଆଲୋଚନା ହେଉଛି।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷରେ ଶିକ୍ଷିତ ଯୁବକ ଯୁବତୀମାନେ ଉଚ୍ଚ ଶିକ୍ଷା ଓ ଚାକିରି ନିମନ୍ତେ ଆବଶ୍ୟକ ହେଉଥିବା ରେସିଡେଣ୍ଟ, କାଷ୍ଟ ଓ ଇନକମ ସାର୍ଟିଫିକେଟ ଠିକ୍ ସମୟରେ ନପାଇ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେହିପରି ଭାବରେ ନେଟ୍ ରେ ଖାତା ଅପଲୋଡ଼ ହୋଇଥିଲେ ମଧ୍ୟ ହିତାଧିକାରୀ ଜମିପଟ୍ଟା ପାଇପାରୁନଥିବା ଅଭିଯୋଗ ହେଉଛି। ତେଣୁ ଜିଲ୍ଲା ପ୍ରଶାସନ ନର୍ଲା ତହସିଲ କାର୍ଯ୍ୟାଳୟର ଅବସ୍ଥା ସୁଧାରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.