‘ଖଂଗାର୍‌’ ପୁସ୍ତକ ପାଇଲା ବେଷ୍ଟ୍‌ସେଲର୍ ପୁରସ୍କାର

ଭୁବନେଶ୍ୱର: ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’କୁ ଗତ ବର୍ଷକ ଭିତରେ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ଗଳ୍ପ ପୁସ୍ତକ ଭାବେ ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଞ୍ଚଠାରେ ଆୟୋଜିତ ‘ଉତ୍‌ସାହିତ୍ୟ’ ସମାରୋହରେ ଶ୍ରୀ ଧଙ୍ଗଡ଼ାମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ଟାଇମ୍‌ପାସ୍‌ର ନିର୍ଦ୍ଦେଶକ ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ପ୍ରସିଦ୍ଧ ହିନ୍ଦୀ ଲେଖକ ଧ୍ରୂବ ଶୁକ୍ଳା, ବିଶିଷ୍ଟ କଥାକାର ଗୌରହରି ଦାସ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଲେଖକ ରଞ୍ଜନ କୁମାର ଦାସ, ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଭିନେତ୍ରୀ ମଧୁମିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଟାଇମ୍‌ପାସ୍ ଦ୍ୱାରା ପ୍ରକାଶିତ ‘ଖଂଗାର୍‌’ ଓଡ଼ିଆ ପାଠକଙ୍କ ଦ୍ୱାରା ବେଶ୍ ଆଦୃତି ଲାଭ କରିଥିବା ବେଳେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର-୨୦୨୦ ଶେଷ ପର୍ଯ୍ୟାୟ ଯାଏଁ ପହଞ୍ଚିଥିଲା । ପୁସ୍ତକରେ ଥିବା ଗଳ୍ପମାନଙ୍କରେ ଯୁବଗୋଷ୍ଠୀ, ଆଦିବାସୀ ତଥା ସାଧାରଣ ମଣିଷର ଜୀବନଚର୍ଯ୍ୟା, ସ୍ୱପ୍ନ, ପ୍ରେମ, ସଂଘର୍ଷ, ଭାବାବେଗ ଓ ବିଦ୍ରୋହର କଥା କହାଯାଇଥିବା ବେଳେ ଓଡ଼ିଆ ଗଳ୍ପରେ କଳାହାଣ୍ଡିଆ ଶବ୍ଦର ପ୍ରୟୋଗ ସେଗୁଡ଼ିକୁ ଆହୁରି ଆକର୍ଷଣୀୟ କରିପାରିଛି । ଉକ୍ତ ଗଳ୍ପମାନଙ୍କରେ ଉତ୍ତର ଆଧୁନିକତାର ଲକ୍ଷଣ ସ୍ପଷ୍ଟ ବାରି ହେଉଥିବା ସମାଲୋଚକମାନେ ମତ ଦେଇଛନ୍ତି । ପାଠକ ପାଠିକାମାନେ ବହୁ ସଂଖ୍ୟାରେ ପୁସ୍ତକଟିକୁ ଅନ୍‌ଲାଇନ୍‌ରେ ଏମାଜନ୍‌ରୁ, ବିଭିନ୍ନ ପୁସ୍ତକମେଳା ତଥା ବହି ଦୋକନରୁ କିଣି ପଢ଼ିଥିବାରୁ ଶ୍ରୀ ଧଙ୍ଗଡ଼ାମାଝୀ କୃତଜ୍ଞତା ଜଣାଇଛନ୍ତି । ଏଥିସହ ସେ ପୁସ୍ତକର ପ୍ରକାଶକ, ସମାଲୋଚକ, ମାର୍ଗଦର୍ଶକ, ଶୁଭେଚ୍ଛୁ ତଥା ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଛନ୍ତି । ସାହିତ୍ୟ ସାଧନା ନିମନ୍ତେ ଏହି ପୁରସ୍କାର ଏକ ପ୍ରେରଣା ଏବଂ ଏହା ମତେ ଆହୁରି ଦାୟିତ୍ୱବାନ କରିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.