ମାଁ ପାଝରାଣୀଙ୍କ ଆସ୍ଥାନ ପ୍ରତିଷ୍ଠା ଉତ୍ସବ

● ଦେବୀଙ୍କ ଆଶିଷ ଭିକ୍ଷା କଲେ ତୁଳାପଡା ସମିତି ସଭ୍ୟ ପ୍ରାର୍ଥୀ ମନ୍ମୟ ଚାନ୍ଦ

କଳାହାଣ୍ଡି: ନର୍ଲା ବ୍ଲକ ତୁଳାପଡା ସ୍ଥିତ ମାଁ ପାଝରାଣୀଙ୍କ ଅସ୍ଥାନ ପ୍ରତିଷ୍ଠା ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କେଉଁ ଏକ ଆବାହମାନ କାଳରୁ ଅଞ୍ଚଳର ଆରାଧ୍ୟ ଦେବୀ ଭାବେ ମାଁ ପାଝରାଣୀ ପୂଜା ପାଇ ଆସୁଛନ୍ତି । ଦେବୀଙ୍କ ଆସ୍ଥାନ ପ୍ରତିଷ୍ଠା ପୂଜକ ଦେବ ମାଝୀ, ଜାନୀ ମକରନ୍ଦ ମାଝୀ, ଦେଶଜାନୀ ବୀର ମାଝୀ, ଦେଶ ଦିଆରି ପ୍ରଶନ୍ନ ମାଝୀ, ଗାଠିଆ ମାଝୀଙ୍କ ସମେତ ପାତର, ପାନଗିରି, ପାଟମାଝୀ, ଧଙ୍ଗଡାମାଝୀ ଆଦିଙ୍କ ଦ୍ଵାରା ପାରମ୍ପରିକ ରୀତିନୀତି ଅନୁସାରେ ସଂପନ୍ନ ହୋଇଯାଇଛି । ଗାଁର ଧରଣୀ, ବୁଢାଧରଣୀ, ଡୋକରୀ, କମେ ବୁଢ଼ା ପାର୍ଦୋ, ବେନ୍ଦେନ, ଗବଡା ଆଦି ପ୍ରାଚୀନ ଦେବାବେବୀ ପୀଠରେ ମଧ୍ୟ ପୂଜାର୍ଚ୍ଚନା ହୋଇଥିଲା । ୧୨ ଖଳାରୁ ପାଝରାଣୀ ପୀଠକୁ ଅକ୍ତା ଆସିଥିଲା । ଏହାସହ ତୁଳାପଡା ଗାଁର ଶିବ ମନ୍ଦିର, ଦୁଇ ଗୋଟି ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ତାରିଣୀ ମନ୍ଦିରକୁ ଭୋଗ ଯାଇଥିଲା । ମାଁ ପାଝରାଣୀଙ୍କ କାଳିସୀ ପାରମ୍ପରିକ ଢାବ୍ ଓ ଗଣାବଜା ସହ ଗ୍ରାମ୍ୟ ପରିକ୍ରମା କରି ଦେବୀଙ୍କ ଆସ୍ଥାନରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମାଁ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ଓ ତୁଳାପଡା ଗ୍ରାମବାସୀ ସହଯୋଗ କରିଥିଲେ ।

ଏକ ପ୍ରତ୍ୟକ୍ଷ ଦେବୀ ଭାବେ ଉପାସିତ ପାଝରାଣୀଙ୍କ ଆସ୍ଥାନର ପ୍ରତିଷ୍ଠା ଅବସରରେ ତୁଳାପଡା ସମିତି ସଭ୍ୟ ପ୍ରାର୍ଥୀ ମନ୍ମୟ ଚାନ୍ଦ (ଜିତୁ) ଦେବୀଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ଶ୍ରୀ ଚାନ୍ଦ ତୁଳାପଡା ଗ୍ରାମ ପଞ୍ଚାୟତବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ତୁଳାପଡା ପଞ୍ଚାୟତରେ ହିଁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରି ଲଢେଇ କରୁଛି । ଏହା ବ୍ୟତୀତ ଅନ୍ୟ କୌଣସି ପଞ୍ଚାୟତରେ ମୁଁ ନାମାଙ୍କନ ପତ୍ର ଦାଖଲ କରିନଥିଲି । ଏଇଥି ପାଇଁ ଯେ, ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନ ତୁଳାପଡା ମୋର ପୂର୍ବ ପୁରୁଷଙ୍କ କର୍ମ ଭୂଇଁ । ଆଜି ମୁଁ ତୁଳାପଡା ନିର୍ଦ୍ଦିଷ୍ଟ ପଞ୍ଚାୟତରେ ରହିଛି । ଆଗକୁ ବି ରହିବି । ମୋର ପ୍ରତି ଭରସା ଥିବା ଯାଏଁ ମୁଁ ତୁଳାପଡା ପଞ୍ଚାୟତବାସୀଙ୍କ ହାତ ଛାଡି ପାରିବି ନାହିଁ । ଫଳ ସରିଗଲେ ବୃକ୍ଷ ଛାଡି ପକ୍ଷୀ ପଳାୟନ କରିବା ଭଳି ଚରିତ୍ର ମୋର ନାହିଁ । ମୁଁ ଆପଣମାନଙ୍କର, ଆପଣମାନଙ୍କ ପାଇଁ ଓ ଆପଣମାନଙ୍କ ଦ୍ବାରା । ମୁଁ ଏମିତି ଭୂଲ କରିବି ନାହିଁ ଯେଉଁଠି ମୋର ବଂଶଧର ଅପମାନିତ ହେବେ । ମୁଁ ପଦ ଲାଳସାରେ ତୁଳାପଡାକୁ ଆସିନି, ଆସିଛି କେବଳ ଏମାଟିର ଋଣ ଶୁଝିବା ପାଇଁ । ତୁଳାପଡା ଏକ ଶିକ୍ଷାର ଭିତ୍ତିଭୂମି । ନର୍ଲା ବ୍ଲକରେ ତୁଳାପଡା ପଞ୍ଚାୟତ ଏକ ସର୍ବଶ୍ରେଷ୍ଠ ପଞ୍ଚାୟତ । ଶ୍ରୀ ଚାନ୍ଦ ତୁଳାପଡା ପଞ୍ଚାୟତବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ହେ ମୋର ପ୍ରୀୟ ତୁଳାପଡାବାସୀ ମୋର ବିନିତ ଅନୁରୋଧ ଆପଣ ମାନେ ମତଦାନ ପୂର୍ବରୁ ଟିକେ ବିଚାର କରନ୍ତୁ । ନିଜର ବିଶ୍ବାସ ଓ ଭରସାକୁ ବଳି ଦିଅନ୍ତୁ ନାହିଁ । ମୁଁ ସଦାବେଳେ ଆପଣଙ୍କ ସହ ଜାଗ୍ରତ ପ୍ରହରୀ ହୋଇ ରହିଛି । ବସ୍ ଚିହ୍ନରେ ମୋତେ ମୋହର ମାରି ଆପଣମାନେ ଆପଣଙ୍କୁ ହିଁ ବିଜୟ କରନ୍ତୁ । ମୁଁ ନିମିତ୍ତ ମାତ୍ର ବୋଲି ଶ୍ରୀ ଚାନ୍ଦ ମତ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ଏଥର ନର୍ଲା ବ୍ଲକ ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଅଧ୍ୟକ୍ଷା ଆସନ ରେସ୍ ରେ ଜିତୁ ଚାନ୍ଦଙ୍କ ଧର୍ମପତ୍ନୀ ସୀମନ୍ତିକା ଚାନ୍ଦ ରହିଛନ୍ତି । ସୀମନ୍ତିକା ମାଣ୍ଡେଲ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀ ଓ ଜିତୁ ତୁଲାପଡା ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନୀ ସମରକୁ ଓହ୍ଲାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.