ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନକୁ ନେଇ ପଡୁଛି ଉଠୁଛି ଗାଁ ଦାଣ୍ଡ । ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ବାଜୁଛି ଭଳିକି ଭଳି ନିର୍ବାଚନୀ ଗୀତ । ସରପଞ୍ଚ ପ୍ରାର୍ଥୀ ଙ୍କ ଠାରୁ ଆରମ୍ଭ କରି ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ପ୍ରସାର ଜାରି ରଖିଛନ୍ତି । ଏହାରି ଭିତରେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀନୀ ଶୁଶ୍ରୀ ରିନା ଭୋଇ ମାରାଥନ୍ ପ୍ରଚାରରେ ବାହାରି ଜନସାଧାରଣଙ୍କ ଆଶିଷ କାମନା କରିଛନ୍ତି । କିଛି ଦିନ ତଳେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରିନା ଭୋଇଙ୍କ ପାଇଁ ପ୍ରଚାର କରିଥିଲେ । ଏହାସହ ବିଜେପିର ଅନେକ ବରିଷ୍ଠ ନେତୃବୃନ୍ଦ ଏହି ଆସନକୁ ବଞ୍ଚାଇବାପାଇଁ ଦିନରାତି ଏକ କରି ଦେଇଛନ୍ତି । ଗତ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢେଇ କରି ରିନା ଭୋଇ ନିଜ ପ୍ରତିଦ୍ବନ୍ଦ୍ବି କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କୁ ଚିତ୍ କରି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅତି ଅଳ୍ପ ବୟସରେ ରାଜନୀତିରେ ପାଦ ଥାପି ଜିଲ୍ଲା ପରିଷଦ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ରିନା ଭୋଇ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ସାଙ୍ଗଠନିକ ଦକ୍ଷତା ଓ କାର୍ଯ୍ୟଧାରା ତଥା ଲୋକପ୍ରିୟତାକୁ ବିଚାରକୁ ନେଇ ଏଥର ମଧ୍ୟ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ତେବେ ଏଥର ତାଙ୍କ ସହ ବିଜେଡି ପକ୍ଷରୁ ହରିଶଙ୍କର ମାଝୀ ଓ କଂଗ୍ରେସ ପକ୍ଷରୁ ରୋଶନ ମାଝୀ ଲଢେଇ କରୁଛନ୍ତି । ତେଣୁ ଏହି ତ୍ରିମୁଖି ଲଢେଇରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।