● ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରିନା ଭୋଇଙ୍କ ପାଇଁ କରୁଛନ୍ତି ମାରାଥନ୍ ପ୍ରଚାର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ୨୦୧୭ ପଞ୍ଚାୟତ ନିର୍ବାଚନରେ ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୩ଟି ଆସନ ହାତେଇ କଳାହାଣ୍ଡି ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ହୋଇଥିଲା ବିଜେପି । ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମୋଦୀ ହାଓ୍ବା ଯୋଗୁଁ ବିଜେପିକୁ ଏହି ସଫଳତା ମିଳିଥିବା ବେଳେ ସେହି ସମୟରେ ବିଜେଡି ମାତ୍ର ଗୋଟିଏ ଓ କଂଗ୍ରେସ ଦୁଇଟି ଆସନ ପାଇଥିଲେ । ତେବେ ଚଳିତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ଏତେ ସହଜ ହୋଇନାହିଁ । ଗଡ ଦଖଳ ପାଇଁ ବିଜେଡି ଚକ୍ର ବ୍ୟୁହ ରଚନା କରିଥିବାବେଳେ ଗଡରକ୍ଷା କରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରି ରଣାଙ୍ଗନକୁ ଓହ୍ଲାଇଛି । କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ମାନଙ୍କୁ ନିର୍ବାଚନୀ ବୈତରଣୀ ପାର କରାଇବା ପାଇଁ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି । ଏହାରି ମଧ୍ୟରେ ବାରି ହୋଇ ପଡୁଛନ୍ତି କଳାହାଣ୍ଡି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ହିରୋ ମହଲା । ନର୍ଲା ଜୋନ୍-୨ ବିଜେପି ପ୍ରାର୍ଥୀନୀ ସୁଶ୍ରୀ ରିନା ଭୋଇଙ୍କ ପାଇଁ ସେ ଅବିଶ୍ରାନ୍ତ ଭାବରେ ମାରାଥନ୍ ପ୍ରଚାର କରୁଛନ୍ତି । ୨୦୧୭ ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିବା ରିନା ଭୋଇ ଏଥର ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟା ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏହା ରିନାଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇଥିବା ବେଳେ ବିଜେପି ପାଇଁ ସମ୍ମାନର ପ୍ରଶ୍ନ, ତେଣୁ ଗଡରକ୍ଷା କରିବାକୁ ପଣ କରି ଦଳୀୟ ପ୍ରାର୍ଥୀନୀଙ୍କ ପ୍ରଚାରରେ ମାତି ଯାଇଛନ୍ତି ହିରୋ ମହଲା । ନିର୍ବାଚନ ପୂର୍ବରୁ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ତୃଣମୂଳ ସ୍ତରରେ ବିଜେପି ସଙ୍ଗଠନକୁ ମଜଭୁତ କରିଛନ୍ତି । ଏହାସହ ଏହି ଜୋନ୍ ର ୧୦ଟି ପଞ୍ଚାୟତର ଜନସାଧାରଣଙ୍କ ସହ ହିରୋ ମହଲାଙ୍କ ଉତ୍ତମ ଜନ ସଂପର୍କ ରହିଛି, ଯାହା ରିନା ଭୋଇଙ୍କ ଲଢେଇକୁ ଉତ୍ତମ ଇନ୍ଧନ ଯୋଗାଇବ । ନର୍ଲା ଜୋନ୍-୨ ବିଜେପି ପ୍ରାର୍ଥୀନୀଙ୍କୁ ଜିତାଇବା ପାଇଁ ବଦ୍ଧ ପରିକର ରହିଛନ୍ତି ହିରୋ ମହଲା । ସେ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ସହ ମିଶି ପଥପ୍ରାନ୍ତ ସଭା, ସାଙ୍ଗଠନିକ କାର୍ଯ୍ୟ, ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରି ଭୋଟର୍ସଙ୍କୁ ବିଜେପିର ନିକଟତର କରିବା ଆଦି ବିବିଧ କାର୍ଯ୍ୟ କରୁଛନ୍ତି । ଜୀବନରେ କେବେ ହାର୍ ମାନିବାକୁ ପ୍ରସ୍ତୁତ ନଥିବା ଶ୍ରୀଯୁକ୍ତ ମହଲା କେବଳ ନାମରେ ନୁହଁ କାମରେ ମଧ୍ୟ ହିରୋ ବୋଲି ନର୍ଲା ଜୋନ୍-୨ ରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।