ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର: ବ୍ୟାସ ଭୂମି ବାଲେଶ୍ୱର ମାଟିର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଆସନ୍ତୁ କିଛି ନୂଆ ଶୁଣିବା’ ପରିବାର ତରଫରୁ ଦ୍ଵିତୀୟ ଗଳ୍ପ ଆସର କାର୍ଯ୍ୟକ୍ରମ ଆଭାସୀ ମଞ୍ଚ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସମାଜରେ ତଥା ମଣିଷର ଜୀବନଚର୍ଯ୍ୟାରେ ଗଳ୍ପର ଆବଶ୍ୟକତା ବିଷୟରେ ଆଲୋଚନା ନିମିତ୍ତ ସମ୍ପାଦକ ରାଜଗୁରୁ ସିଅଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ଗଳ୍ପ ଆସର । ଏଥିରେ ଓଡ଼ିଶାର ଯୁବ ଗାଳ୍ପିକ ତଥା ଗାଳ୍ପିକା ଯାଜପୁରରୁ ରଶ୍ମିବାଳା ଶତପଥି, ପୁରୀ ଜିଲ୍ଲାରୁ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ, ରାଜେଶ କୁମାର ପତି, କେନ୍ଦୁଝରରୁ ସୁଶ୍ରୀ ଦୀପିକା ପେରେଇ ଏବଂ ଅନୁଗୋଳରୁ ରାହୁଲ କୁମାର ମହାନ୍ତି ଯୋଗଦାନ କରି ଏବଂ ନିଜର ସ୍ବରଚିତ ଗଳ୍ପ ପାଠ କରିଥିଲେ । ପରିବାର ଉପଦେଷ୍ଟା, ବରିଷ୍ଠ ସାହିତ୍ୟିକା ତଥା ସମାଜସେବୀ ସୁମିତା ବେହେରା ସମସ୍ତ ଗଳ୍ପର ସମୀକ୍ଷା କରି ଯୁବ ଗାଳ୍ପିକ/ଗାଳ୍ପିକା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପରିବାରର ମାର୍ଗ ଦର୍ଶକ ରତି ନାରାୟଣ ରାଉତ ଗଳ୍ପ ସାହିତ୍ୟକୁ ନେଇ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ଏଥି ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅନେକ ସୁସାହିତ୍ୟିକ/ ସୁସାହିତ୍ୟିକା ଏହି ସଭାରେ ଯୋଗଦାନ କରିଥିଲେ । ନିଜର ସୁମଧୁର କଣ୍ଠରେ କଣ୍ଠଶିଳ୍ପୀ ସୁଶ୍ରୀ ଶିବାନୀ ନାଥ ପ୍ରାରମ୍ଭ ସଂଗୀତ ପରିବେଷଣ କରିଥିଲେ । ଯୁବ ସାହିତ୍ୟିକା ତଥା ଉପସ୍ଥାପିକା ସୁଶ୍ରୀ ସୋନାଲି ସ୍ୱପ୍ନା ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲାବେଳେ ଯୁବ କବି ହୃଦୟ ରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।