ପ୍ରବାସୀ ଭାଷା ସମ୍ମାନ ୨୦୨୨ରେ ସମ୍ମାନିତ ହେଲେ ଶିକ୍ଷକ ତଥା ସାହିତ୍ୟିକ ଦ୍ବିତୀ ଚନ୍ଦ୍ର ସାହୁ

ଦି ଇଣ୍ଟେଲେକ୍ଟସ୍‌ ପକ୍ଷରୁ ମାତୃଭାଷା ମହାକୁମ୍ଭର ଆୟୋଜନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ‘ଦି ଇଣ୍ଟେଲେକ୍ଟସ୍‌’ ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ଅବସରରେ ଶିକ୍ଷକ ତଥା ସାହିତ୍ୟିକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ପ୍ରବାସୀ ଭାଷା ସମ୍ନାନ ୨୦୨୨ରେ ସମ୍ମାନିତ କରାଯାଇଛି । କରୋନା ଦୃଷ୍ଟିରୁ ଦିଲ୍ଲୀ ବଦଳରେ ଉଭୟ ଆଭାସୀ ଓ ପ୍ରତ୍ୟକ୍ଷ ରୂପରେ ଭୁବନେଶ୍ଵରସ୍ଥ ଓଡ଼ିଆ ଭର୍ଚୁଆଲ ଏକାଡେମୀରେ ଆୟୋଜିତ ମାତୃଭାଷା ମହାକୁମ୍ଭ ଉତ୍ସବରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ସ୍ତମ୍ଭକାର ଡ଼ଃ ଭଗବାନ ପ୍ରକାଶ ମିଳିତ ଭାବେ ଉପଢୌକନ ଓ ସ୍ମାରକୀ ପ୍ରଦାନ ପୂର୍ବକ ଶ୍ରୀ ସାହୁଙ୍କୁ ସମ୍ମାନିତ କରିଥିଲେ । ଏଇ ଅବସରରେ ପୁର୍ବତନ ସାଂସଦ ତଥା ଲେଖକ ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ ତଥା ଫୋରମର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତ ଉପସ୍ଥିତ ଥିଲେ । ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ସ୍ତମ୍ଭକାର ପରଂବ୍ରହ୍ମ ତ୍ରିପାଠୀ ମାନପତ୍ର ପଠନ କରିଥିଲେ । ନିରନ୍ତର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କମ ବୟସରେ ଏଭଳି ସମ୍ମାନ ପ୍ରାପ୍ତି ପାଇଁ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ଶୁଭେଚ୍ଛା ପ୍ରଦାନ ସହ ତାଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ଏଥିସହ ଆଭାସୀ ମାଧ୍ୟମ ଜରିଆରେ ସୋଭିଏତ ୟୁନିଭେର୍ସିଟିର ଚାନ୍ସଲର କୁଅଁର ଶେଖର ଭିଜେନ୍ଦ୍ର, ଦିଲ୍ଲୀ ଜେଏନୟୁରୁ ପ୍ରଫେସର ତଥା କବି ଆଖଲକ୍ୟୁ ଏ ଆଲାମ, ପଦ୍ମଭୂଷଣ ଡ଼ଃ ରମାକାନ୍ତ ରଥ, ପ୍ରମୁଖ ଶାସନ ସଚିବ ତଥା କବି ଡଃ ବିଷ୍ଣୁପଦ ସେଠୀ, ଜର୍ମାନୀରୁ ଡ଼ଃ ରାଜେନ୍ଦ୍ର ନାରାୟଣ ଦାସ, ସ୍ତମ୍ଭକାର ଓ ଗାଳ୍ପିକ ଗୌରହରି ଦାସ, ଗୀତିକାର ଦେବଦାସ ଛୋଟରାୟ, ଶିକ୍ଷାବିତ କୈଳାସ ଚନ୍ଦ୍ର ଟୀକାୟତରାୟ, ପୂର୍ବତନ ବୈଦେଶିକ ସଚିବ ଅମରେନ୍ଦ୍ର ଖଟୁଆ, ଓଡିଶା ଷ୍ଟେଟ ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ସମେତ ଦେଶ ବିଦେଶର ବହୁ ବୁଦ୍ଧିଜୀବୀ, ଲେଖକ ଓ କବି ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ନିଜ ନିଜର ବିଚାର ରଖିଥିଲେ । ସମ୍ନାନ ପ୍ରଦାନ ପରେ ପ୍ରତ୍ୟତ୍ତରରେ ଶ୍ରୀ ସାହୁ ଦୀର୍ଘ ବର୍ଷର ଶିକ୍ଷକ ଜୀବନରେ ଶିକ୍ଷା ଓ ସାହିତ୍ୟର ସମନ୍ଵୟରେ ଓଡ଼ିଆ ଭାଷାର ବିକାଶ ଦିଗରେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଏଭଳି ସମ୍ମାନର ସମସ୍ତ ଶ୍ରେୟ ନିଜର ପ୍ରିୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ । ଶ୍ରୀସାହୁଙ୍କୁ ଏଭଳି ବିରଳ ସମ୍ମାନ ପାଇଁ ରାୟଗଡ଼ା ସମ୍ବାଦ ସାହିତ୍ୟ ଘର ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.