‘ଋଷ ଏବଂ ନାଟୋ ସଂଘ ମଧ୍ୟରେ ରହିଥିବା ବିବାଦ ନିଷ୍ଠାପର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ’

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ସଂପର୍କ ତିକ୍ତ ହୋଇଛି । ଗୁରୁବାର ଋଷର ମହାମହିମ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ୟୁକ୍ରେନରେ ଯୁଦ୍ଧ ଘୋଷଣା କରିଛନ୍ତି । ଏହାପରେ ରାତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହିତ କଥା ହୋଇଛନ୍ତି । ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ପୁଟିନ ୟୁକ୍ରେନ୍‌ ସଂକ୍ରାନ୍ତ ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଋଷ ଏବଂ ନାଟୋ ସଂଘ ମଧ୍ୟରେ ରହିଥିବା ବିବାଦ କେବଳ ସଚ୍ଚୋଟ ଏବଂ ନିଷ୍ଠାପର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ । ଦୀର୍ଘ ସମୟ ଧରି ଭାରତର ଏହି ବିଶ୍ବାସକୁ ପ୍ରଧାନମନ୍ତ୍ରୀ ପୁନର୍ବାର ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ତତ୍କାଳ ହିଂସାର ପରିସମାପ୍ତି ପାଇଁ ନିବେଦନ କରିଥିଲେ ଏବଂ କୂଟନୈତିକ ଆଲୋଚନା ଓ ବାର୍ତ୍ତାଳାପ ମାର୍ଗକୁ ଫେରି ଆସିବା ଲାଗି ସମସ୍ତ ପକ୍ଷ ସମ୍ମିଳିତ ପ୍ରୟାସ କରିବା ଆବଶ୍ୟକ ବୋଲି ସେ ଆହ୍ବାନ କରିଥିଲେ । ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଋଷ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ସେମାନଙ୍କୁ ନିରାପଦ ଭାବେ ସ୍ବଦେଶ ଫେରାଇ ଆଣିବା ଭାରତର ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆପୋସ ହିତ ଜଡ଼ିତ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରର ଅଧିକାରୀ ଏବଂ କୂଟନୈତିକ ଦଳ ପରସ୍ପର ସହ ନିୟମିତ ଯୋଗାଯୋଗ ରକ୍ଷା କରିବେ ବୋଲି ଦୁଇ ନେତା ସହମତ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.