ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ତିନି ଅସହାୟ ଶିଶୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କେରୋକୁଡା ଗାଁର ଚିତ୍ର ଜାନି କିଛିମାସ ତଳେ ଜ୍ବରରେ ପୀଡିତ ହୋଇଥିଲେ । ତାଙ୍କ ସ୍ତ୍ରୀ ସାବିତ୍ରୀ ଜାନି ସ୍ୱାମୀଙ୍କୁ ବଞ୍ଚେଇବାପାଇଁ ଅନେକ ଡାକ୍ତରଖାନା ମଧ୍ୟ ନେଇଥିଲେ । ହେଲେ ଦଇବ ସହିଲା ନାହିଁ । ଅକାଳରେ ଆଖି ବୁଜିଲେ ଚିତ୍ର ଜାନି । ସ୍ୱାମୀଙ୍କ ଦେହାନ୍ତ ପରେ ସାବିତ୍ରୀ ତିନି ଛୁଆ ସଞ୍ଜୟ, ସାଗର ଓ ସବ୍ୟଙ୍କୁ ନେଇ ବହୁତ ଅସୁବିଧାରେ ଜୀବନ ଯାପନ କରୁଥିଲେ । ମାସକ ମାତ୍ର ଚାଉଳ ୨୦ କିଲୋ ହିଁ ଭରସା । ଏପଟେ ନିଜର ଜମି ବାଡ଼ି କିଛି ନଥିବାରୁ ପର ଘରେ ମୂଳ ଲାଗିଲେ ହିଁ ତାଙ୍କର ଚୁଲି ଜଳୁଥିଲା । ଏହି ପରିବାରର ଦୁଃଖଦ ସ୍ଥିତି ବିଷୟରେ ସ୍ଥାନୀୟ ବ୍ୟକ୍ତି ଶ୍ୱେତରାଜ ସାହୁ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ଶ୍ରୀ ରଣା ଏହି ସମସ୍ୟା ବିଷୟରେ ଜାଣିଲାପରେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରି ସେମାନଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ନେଇ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରେଇବାର ବ୍ୟବସ୍ଥା କରିଥିଲେ । ସରକାରଙ୍କ ନିୟମ ଅନୁଯାଇ ଶିଶୁ ମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଗଲା । ସେମାନଙ୍କୁ ଜଣଙ୍କ ପିଛା ପନ୍ଦର ସହ ଟଙ୍କା ମାସିକ ମିଳିବା ନେଇ ଡ଼ିସିପିଓ ସୂଚନା ଦେଇଥିଲେ । ବର୍ତ୍ତମାନ ତିନି ଛୁଆଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିବା ବେଳେ ତାଙ୍କର ମା’ଙ୍କୁ ମଧ୍ୟ ଖୁବ ଶୀଘ୍ର ବିଧବା ଭତା ମିଳିବ । ପ୍ରଥମ କିସ୍ତି ଟଙ୍କା ମିଳିବାପରେ ସେମାନେ ଖୁସିଥିବା କହିଛନ୍ତି ଓ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.