ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ଅଘଟଣ, ହାଇୱା ଚାପାରେ ଦୁଇ ଶ୍ରମିକଙ୍କ ଗଲା ଜୀବନ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼: ଏପଟେ ଚାଲିଛି ସୁରକ୍ଷା ସପ୍ତାହ, ଦୁର୍ଘଟଣା ଶୂନ୍ୟ କଂପାନୀ ଭାବେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଲିମିଟେଡ ପୂର୍ବରୁ ହାତେଇଛି ଏକାଧିକ ପୁରସ୍କାର ଓ ସମ୍ମାନ । ତେବେ ସୁରକ୍ଷା ସପ୍ତାହରେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବକ୍ସାଇଟ୍ ବୋଝେଇ ହାଇୱା ଚାପାରେ ଶନିବାର ବିଳମ୍ବିତ ରାତିରେ ଦୁଇଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଶ୍ରମିକ ମହଲରେ ଶୋକର ଛାୟା ଖେଳାଇଦେଇଛି । ତେବେ ବଦନାମ ହେବା ଭୟରେ କଂପାନୀ ଘଟଣାଟିକୁ ଚାପିଦେବାକୁ ଉଦ୍ୟମ କରିବା ସତ୍ତ୍ୱେ ଏହା ଫସର ଫାଟିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବେଦାନ୍ତ ଲିମିଟେଡରେ ବକ୍ସାଇଟ ବୋଝେଇ ଖଲାସ କରିବା ପାଇଁ ଓଏସ୍‌ଏଲ୍ କଂପାନୀ ନିୟୋଜିତ ଥିବାବେଳେ ଏହା ଅଧୀନରେ ଥିବା ରାୟଗଡା ଜିଲ୍ଲା ମୁନିଗୁଡାର ଜୈନିକ ବ୍ୟକ୍ତିଙ୍କ ହାଇୱା ଟ୍ରକ୍ ଏଥିରେ ଭଡାରେ ଲାଗିଥିଲା । ଶନିବାର ରାତି ପ୍ରାୟ ଦୁଇଟା ସମୟରେ ବକ୍ସାଇଟ ବୋଝେଇ କରି କଂପାନୀର ବକ୍ସାଇଟ ୟାର୍ଡକୁ ଯାଉଥିବାବେଳେ ରାସ୍ତାର ଏକ ଖାଲରେ ପଡି ଏହି ହାଇୱାଟି ଓଲଟି ପଡିଥିଲା । ଏହି ସମୟରେ ରାସ୍ତା କଡରେ ପାଣି ପିଇବାକୁ ଯାଇ ଠିଆ ହୋଇଥିବା ଏଲ୍ ଏଏନ୍ ଟି କଂପାନୀର ଦୁଇଜଣ ଶ୍ରମିକ ଝାଡଖଣ୍ଡ ରାଜ୍ୟ ବୋକାରୋ ଅଞ୍ଚଳର ଅଭିମନ୍ୟୁ ଜେନା ଓ ମୁକେଶ ଟୁଡୁଙ୍କ ଉପରେ ହାଇୱାଟି ଓଲଟି ପଡିବାରୁ ଘଟଣାସ୍ଥଳରେ ହିଁ ଚାପି ହୋଇ ଉଭୟ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ତେବେ ସକାଳ ଯାଏଁ ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଇଥିବାବେଳେ ଶେଷରେ ଶ୍ରମିକ ଅଶାନ୍ତି ବଢିବା ଆଶଙ୍କା କରି ମୃତ ଶରୀରକୁ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଉଭୟ ଶ୍ରମିକଙ୍କୁ ମୃତ ଘୋଷଣା କରିବା ପରେ କଂପାନୀ ପକ୍ଷରୁ ତରବରିଆ ଭାବେ ଶବ ବ୍ୟବଚ୍ଛେଦ କରିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି । ତେବେ ଏନେଇ ଲାଞ୍ଜିଗଡ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରାଯାଇଥିବା ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି । ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକର ମାଲିକ ଓ ମାସିକ ଭଡାରେ ଲଗାଇଥିବା ଓଏସ୍‌ଏଲ୍ କଂପାନୀ ତଥା ଶ୍ରମିକମାନଙ୍କ ନିଯୁକ୍ତିଦାତା ଏଲ୍‌ଏଣ୍ଡଟି କଂପାନୀ ଶ୍ରମିକ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ହାଲକା ଭାବେ ନେଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଲାଞ୍ଜିଗଡ ଅଞ୍ଚଳରେ ଶ୍ରମିକ ସୁରକ୍ଷା ନେଇ କାର୍ଯ୍ୟରତ ବିଭିନ୍ନ ସଂଗଠନର ନିଷ୍କ୍ରିୟତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଏହି ସଂଗଠନମାନେ ଶ୍ରମିକମାନଙ୍କ ବଦଳରେ କଂପାନୀର ସୁରକ୍ଷା ପାଇଁ ସମର୍ପିତ ବୋଲି ଅନେକ ଶ୍ରମିକ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ), ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.