ବିଦ୍ୟୁତ୍ ସଟ୍ ସାର୍କିଟରୁ ନିଆଁ ଲାଗି ଘର ଭସ୍ମୀଭୁତ, ପରିବାର ସର୍ବସ୍ୱାନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଦ୍ୟୁତ୍ ସଟ୍ ସାର୍କିଟରୁ ନିଆଁ ଲାଗି ଜଣେ ଗରିବ ଓ ଅସହାୟ ମହିଳାଙ୍କ ଝାଟିମାଟିର ଘର ଭସ୍ମୀଭୁତ ହୋଇଯାଇଛି । ବର୍ତ୍ତମାନ ପରିବାର ସର୍ବସ୍ୱାନ୍ତ ହୋଇଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର ଗୋମତୀ ହରିଜନ ଗାଁର ଶେଷମୁଣ୍ଡରେ ଗୋଟିଏ ପୁଅ ଓ ଝିଅଙ୍କୁ ନେଇ ଏକ ଝାଟିମାଟି ଘରେ ରହନ୍ତି । ପରିବାର ପ୍ରତିପୋଷଣରେ ସମସ୍ୟା ଦେଖାଦେବାରୁ ଗୋମତୀଙ୍କ ସ୍ୱାମୀ ଦାଦନ ଖଟିବାକୁ କେରଳ ଯାଇଥିବାବେଳେ ଘରେ ଗୋମତୀ ନିଜ ପୁଅଝିଅଙ୍କୁ ନେଇ ରହୁଥିଲେ । ଆଜି ବଡିଭୋରରୁ ତାଙ୍କ ଘରେ ଲାଗିଥିବା ବିଦ୍ୟୁତ୍ ତାରରେ ସଟ୍ ସାର୍କିଟ ହୋଇ ନିଆଁ ଲାଗିଯାଇଥିବାବେଳେ ଧିରେଧିରେ ଏହା ଭୟଙ୍କର ରୂପ ନେଇଥିଲା । ଏପରିକି ତାଙ୍କ ଦୁଇ ବଖରା ଝାଟିମାଟି ଘର ପୋଡି ଯାଇଥିବାବେଳେ ଘରେ ଥିବା ଧାନଚାଉଳ, ଆସବାବପତ୍ର, କପଡା ସହିତ ପୁଅଝିଅଙ୍କ ପଢାବହି ପୋଡି ପାଉଁଶ ହୋଇଯାଇଛି । ଘର ପୋଡିଯିବାରୁ ଗୋମତୀଙ୍କ ପରିବାର ସର୍ବସ୍ୱାନ୍ତ ହୋଇ ପଡିଥିବାବେଳେ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.