ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ନୃପରାଜ ଯାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜୁ ଜନତା ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା ହେବାପରେ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି । କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ କେସିଙ୍ଗା ସମେତ କଳାହାଣ୍ଡିରେ କମାଲ୍ କରିଥିବାରୁ ପୌର ନିର୍ବାଚନରେ ମଧ୍ୟ ସଫଳ ହେବାକୁ ଆଶାବାଦୀ ରହିଛି । ବହୁ ବିଚାର ବିମର୍ଷ ପରେ ନୃପରାଜ ଯାଦବଙ୍କୁ କେସିଙ୍ଗା ଏନ୍ଏସି ଚ୍ୟାରମେନ ପଦବୀ ପାଇଁ ବିଜେଡି ପ୍ରାର୍ଥୀ କରିଥିବା ଜଣାପଡିଛି । ଜୀବନର ଆଦ୍ୟ ଭାଗରୁ ସମାଜସେବା ସହ ଜଡ଼ିତ ଶ୍ରୀଯୁକ୍ତ ଯାଦବ ବିଜେଡିର ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜଭୁତ କରିପାରିଛନ୍ତି, ତେଣୁ ସେ ମତଦାତାଙ୍କ ଆସ୍ଥା ଭାଜନ ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ତାଙ୍କୁ ଯୋଗ୍ୟ ମନେକରି କେସିଙ୍ଗା ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ କରିଥିବାରୁ ଶ୍ରୀ ଯାଦବ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଂଗଠାନିକ ସଂପାଦକ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ନବକିଶୋର ଦାସ, ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ମନ୍ତ୍ରୀ ଟୁକୁନୀ ସାହୁ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ସଂପାଦକ ଭବାନୀ ଶଙ୍କର ମିଶ୍ରଙ୍କ ସମେତ ଜିଲ୍ଲା ଓ ବ୍ଲକର ସମସ୍ତ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କେସିଙ୍ଗା ଏନଏସି ବାସୀଙ୍କୁ ମୈ।ଳିକ ସୁବିଧା ଯୋଗାଇବା ସହ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ବିକାଶଧାରାକୁ ଆଗେଇ ନେବେ ବୋଲି ବିଜେଡିର କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପ୍ରାର୍ଥୀ ନୃପରାଜ ଯାଦବ ମତ ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିଜେପି ସଚିନ ଜୈନ ଓ କଂଗ୍ରେସ ରାମକୁମାର ଜୈନଙ୍କୁ ପ୍ରାର୍ଥୀ ଘୋଷଣା କରି କେସିଙ୍ଗା ଏନ୍ଏସି ଚ୍ୟାରମେନ ପଦବୀ ହାତେଇବାକୁ ରଣନିତି ପ୍ରସ୍ତୁତ କରିଥିବା ଜଣାପଡିଛି । ତିନି ପ୍ରମୁଖ ଦଳର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ଓ ପୂର୍ବ କାର୍ଯ୍ୟଧାରାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି ।