ଦିବ୍ୟାଙ୍ଗ ଚେରୁ ମହାନନ୍ଦ ପାଖକୁ ପହଞ୍ଚିଲା ବ୍ଲକ ପ୍ରଶାସନ

ଓଡ଼ିଆ ବାର୍ତ୍ତା ପ୍ରଭାବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ସଉରାପଦର ଗ୍ରାମର ଚେରୁ ମହାନନ୍ଦଙ୍କ ଦିବ୍ୟାଙ୍ଗ ପୁଅ ରୁପା ମହାନନ୍ଦ (୮)ଙ୍କୁ କୈାଣସି ସରକାରୀ ସୁବିଧା ମିଳିପାରିନାହିଁ ବୋଲି ଗତ ମାର୍ଚ୍ଚ ୩ ତାରିଖ ଦିନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଖବର ଉପରେ ପ୍ରଶାସନ ତତ୍ପରତା ଦେଖାଇ ଗୁରୁବାର ବ୍ଲକ ପ୍ରଶାସନ ପକ୍ଷରୁ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଓ ପରଲସିଙ୍ଗା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ନାଏକ ଦିବ୍ୟାଙ୍ଗ ଘରକୁ ଯାଇ ଏକ ହୁଇଲ ଚେୟାର ପ୍ରଦାନ କରିବା ସହ ଭତ୍ତା ପାଇଁ ଅନୁମୋଦନ କରିଥିବା ଜଣାପଡିଛି । ପ୍ରକାଶ ଯେ, ରୁପାଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳିନଥିବା ବେଳେ ସେ ଅତି ଅସହାୟ ଅବସ୍ଥାରେ ମାଟି ଝାଟି ଘରେ ପଡି ରହିଛନ୍ତି । ସେ ଚଳାବୁଲା କରିପାରୁନଥିବାରୁ ଖଟରେ ପଡ଼ି ରହିଛନ୍ତି । ଫଳରେ ମାଁ’ ବାପା ସବୁବେଳେ ପୁଅର ସେବାରେ ଲାଗିଥାନ୍ତି । ଚେରୁ ଶ୍ରମିକ ଭାବେ କାମକରି ଯେତିକି ଟଙ୍କା ରୋଜଗାର କରନ୍ତି ତାହା ପରିବାର ପ୍ରତିପୋଷଣ କରିବାରେ ଅଣ୍ଟେ ନାହିଁ । ଏପଟେ ଦିବ୍ୟାଙ୍ଗ ପୁଅକୁ ଛାଡି ଚେରୁଙ୍କ ସ୍ତ୍ରୀ ବାହାରକୁ କାମଧନ୍ଦା କରିବାକୁ ଯାଇ ପାରନ୍ତି ନାହିଁ । ଏମାନେ ଅତି ଗରିବ ବର୍ଗର ହୋଇଥିଲେ ସୁଦ୍ଧା ଆବାସ ଘରଟିଏ ପାଇପାରି ନାହାନ୍ତି, ଫଳରେ ବିପଦାପନ୍ନ ମାଟି ଘରେ ବିତୁଛି ଜୀବନ । ଅନେକ ଥର ହୁଇଲଚେଆର୍ ଓ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ଲାଭ ହୋଇପାରି ନଥିବା ନେଇ ଅଭିଯୋଗ କରିଥିଲେ ଚେରୁ ମହାନନ୍ଦ ‌। ତେଣୁ ପ୍ରଶାସନ ଦିବ୍ୟାଙ୍ଗ ରୁପା ମହାନନ୍ଦଙ୍କୁ ଭତ୍ତା ସହ ଏହି ପରିବାରକୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ସାଧାରଣରେ ଦାବି ହୋଇଥିଲା ବେଳେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଅଞ୍ଚଳର ଅଜଣା କଥା ଗଣମାଧ୍ୟମରେ ପ୍ରକାଶିତ ହେବାଦ୍ବାରା ପ୍ରଶାସନ ସଂପୃକ୍ତ ବ୍ୟକ୍ତିମାନଙ୍କୁ ସହଯୋଗ କରିପାରୁଛି । ତେଣୁ କେସିଙ୍ଗା ବିଡ଼ିଓ ଶ୍ରୀଯୁକ୍ତ ଓଦୁ ଓଡ଼ିଆ ବାର୍ତ୍ତା ସମେତ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.