ରାସ୍ତା ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବା ପାଇଁ ଚେତାବନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ଓ୍ବାର୍ଡ ନମ୍ବର ୧ ଓ ୨ ର ବଗାଡ ବାସିନ୍ଦାଙ୍କ ପାଇଁ ଓଡ଼ିଶା ରାଇସ ମିଲ ଦେଇ ଏକ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ହେଲା ଲୋକେ ଦାବି କରିଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିନଥିବା ବେଳେ ବଗାଡବାସୀଙ୍କୁ ଓଡ଼ିଶା ରାଇସ ମିଲ ଦେଇ ସ୍ଥାୟୀ ରାସ୍ତା ନିର୍ମାଣ କରିବାରେ ପ୍ରସାଶନ ବିଫଳ ହୋଇଥିବା ନେଇ ବଗାଡ ବାସୀ ଅଭିଯୋଗ କରିଛନ୍ତି । ତେଣୁ ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକେ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରି ଆସନ୍ତା ପୈ।ର ନିର୍ବାଚନ କୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି । ଏନେଇ ବଗାଡ ବାସିନ୍ଦାଙ୍କ ତରଫରୁ ପୂର୍ବତନ କାଉନସିଲର ରଞ୍ଜନ ବେହେରାଙ୍କ ନେତୃତ୍ବରେ ଶତାଧିକ ଲୋକଙ୍କ ଦସ୍ତଖତରେ ଏକ ଲିଖିତ ଅଭିଯୋଗ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, କେସିଙ୍ଗା ସହରକୁ ବଗାଡବାସୀ ଯିବା ଆସିବା କରିବା ପାଇଁ ଏକ ସ୍ଥାୟୀ ରାସ୍ତା ନଥିବା ଅଭିଯୋଗ ହେଉଛି । ଯେଉଁ ରାସ୍ତା ରହିଥିଲା ତାହାକୁ ଓଡ଼ିଶା ରାଇସ ମିଲ ମାଲିକ ଜୋର୍ ଜବରଦସ୍ତ ବନ୍ଦ କରି ରଖିଛି । ଅନେକ ଥର ପ୍ରଶାସନ ପକ୍ଷରୁ ଡିମାରକେଶନ କରାଯାଇ ରାସ୍ତା ବାହାର କରାଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଛି ବୋଲି ଅଭିଯୋଗ ହୋଇଛି । ରାସ୍ତା ସମସ୍ୟାର ସମାଧାନ କରିବା ପାଇଁ ଅନେକ ଥର କେସିଙ୍ଗା ଏନ୍ଏସି ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ କୋୖଣସି ସୁଫଳ ମିଳି ନାହିଁ ବୋଲି ପୂର୍ବତନ କାଉନସିଲର ରଞ୍ଜନ ବେହେରା ଅଭିଯୋଗ କରିଛନ୍ତି । ତେଣୁ ଏହାର ସମାଧାନ ହୋଇ ନଥିବାରୁ ବଗାଡବାସୀ ଙ୍କ ତରଫରୁ ଆସନ୍ତା ପୈ।ର ନିର୍ବାଚନକୁ ବର୍ଜନ କରିବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଥିବା ଜଣାପଡିଛି । ଏନେଇ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ବଗାଡ ବାସୀ ଙ୍କ ଲିଖିତ ଅଭିଯୋଗକୁ ସ୍ବୀକାର କରିବା ସହ ସ୍ଥାନୀୟ ତହସିଲଦାର ଓ ଭବାନୀପାଟଣା ଉପ ଜିଲ୍ଲାପାଳଙ୍କୁ ପଠେଇଦେଇଥିବା ନେଇ ପ୍ରକାଶ କରିବା ସହ ଯାହା ବି ସମାଧାନ ହେବ ନିର୍ବାଚନ ପରେ ହିଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶା ରାଇସ ମିଲ କବଜାରେ ସର୍ବସାଧାରଣ ରାସ୍ତା ରହିଥିବା ଓ ତାହାକୁ ଉଚ୍ଛେଦ କରି ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ବଗାଡବାସୀଙ୍କ ତରଫରୁ ୨୦୧୮ ଜୁଲାଇ ମାସରେ ଧାରଣା ଦିଆଯାଇଥିଲା । ସେହି ସମୟରେ ପ୍ରଶାସନ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ପ୍ରଶାସନର ପ୍ରତିଶୃତି ଆଜିଯାଏଁ ପୂରଣ ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.