ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଶିବଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ରାଜ୍ୟ ସରକାରଙ୍କର ମହିଳା ସଶକ୍ତିକରଣ ଯୋଜନାରେ ଆତ୍ମ ନିର୍ଭରଶୀଳର ଉଦାହରଣ ସୃଷ୍ଟି କରିପାରିଛନ୍ତି । ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହାକୁ ସାକାର ରୁପ ଦେବାପାଇଁ ସର୍ଗିଗୁଡାର ୧୦ ଜଣ ଶିକ୍ଷିତା ମହିଳା ଗତ ୨୦୧୯ ଜୁନ ମାସରେ ଶିବ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ଗଠନ କରି ନିଜସ୍ୱ ସଞ୍ଚୟରେ ପ୍ରଥମେ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରିବା ସହିତ ସମାଜ ସେବା କ୍ଷେତ୍ରରେ ମଧ୍ୟ ନିଜକୁ ନିୟୋଜିତ କରି ଅଞ୍ଚଳରେ ସୁନାମ ଅର୍ଜନ କରିପାରିଛନ୍ତି । ଶିବଶକ୍ତି ଏସଏଚଜି ର କାର୍ଯ୍ୟଶୈଳୀ ଦେଖି ନର୍ଲା ଭାରତୀୟ ଷ୍ଟେଟ୍ ବ୍ୟଙ୍କ୍ ପ୍ରଥମେ ୧,୨୦,୦୦୦ ଟଙ୍କା ଋଣ ପ୍ରଦାନ କରିଥିଲେ । ମାତ୍ର ଗୋଟିଏ ବର୍ଷ ଭିତରେ ଗୋଷ୍ଠି ଋଣ ପରିଶୋଧ କରିବା ପରେ ପୁଣି ୨,୦୦,୦୦୦ ଟଙ୍କା ଋଣ ପ୍ରଦାନ କଲା ବ୍ୟାଙ୍କ୍ । ଏଥିରୁ ୬୦ ହଜାର ଟଙ୍କା ଲାଭ ମିଳିଥିବା କୁହନ୍ତି ଗୋଷ୍ଠିର ସଭାନେତ୍ରୀ ଝୁନାଲତା ସ୍ୱାଇଁ । ଏହା ସୁଝି ଦେବା ପରେ ଏବେ ୩ ଲକ୍ଷ ଟଙ୍କା ଋଣ ମିଳିଛି ଶିବଶକ୍ତି ସ୍ୱୟଂ ସହାୟକ ଗୋଷ୍ଠିକୁ । ଅଞ୍ଚଳରେ କୂଅ ଖନନ, ଲ୍ୟାଟ୍ରିନ ଟ୍ୟାଙ୍କି ନିର୍ମାଣ, ଆବର୍ଜନା କୁଣ୍ଡ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ସିମେଣ୍ଟ ରିଙ୍ଗ ର ଅଭାବକୁ ପରିଲକ୍ଷିତ କରି ସିମେଣ୍ଟ ରିଙ୍ଗ ନିର୍ମାଣକୁ ନିଜର ଉପାର୍ଜର ପନ୍ଥା ଭାବରେ ଆପଣେଇ ପ୍ରତିଦିନ ୧୫ ରୁ ୨୦ ଗୋଟି ରିଙ୍ଗ ନିର୍ମାଣ କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠି ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
କେବଳ ଏତିକି ନୁହଁ ରିଙ୍ଗ ନିର୍ମାଣ ପାଇଁ ଶ୍ରମିକ ନ ଲଗେଇ ନିଜେ ଶ୍ରମିକର କାମ କରୁଥିବା ଦେଖିବାକୁ ମିଳିଛି । ବାଲି, ସିମେଣ୍ଟ, ବଜ୍ରି ମିଶାଇ ମସଲା ପାଗ କରି କଢେଇ ମାଧ୍ୟମରେ ରାଜ ମିସ୍ତ୍ରୀକୁ ବଢେଇ ଦେବା ସହ ନିଜେ ମଧ୍ୟ କରଣୀ ଧରି ଛାଞ୍ଚରେ ରିଙ୍କ ପକାଉଥିବା ଦେଖିବାକୁ ମିଳିଛି । ଆମେ ୩, ୪, ୫ ଓ ୬ ଫୁଟିଆ ରିଙ୍ଗ୍ ଗୁଡିକ ନିର୍ମାଣ କରୁଛୁ । ସିମେଣ୍ଟ ରିଙ୍ଗ ଗୁଡିକର ବହୁତ ଡିମାଣ୍ଡ ରହୁଛି । ଆବଶ୍ୟକତା ଅନୁ୍ୟାୟୀ ନିର୍ମାଣର ଦୁଇତିନି ଦିନ ମଧ୍ୟରେ ରିଙ୍ଗ ଗୁଡିକ ବିକ୍ରୟ ହୋଇ ଯାଉଥିବା ବେଳେ ଆମେ ଏଥିରୁ ଭଲ ଦୁଇ ପଇସା ରୋଜଗାର କରି ପାରୁଛୁ । ଗୋଷ୍ଠି ଆକାଉଣ୍ଟରେ ମୂଳ ଲାଭ ଟଙ୍କା ରଖି ବଳକା ଲାଭ ଟଙ୍କା ପରସ୍ପର ମଧ୍ୟରେ ବାଣ୍ଟି ନେଉଛୁ ବୋଲି ପ୍ରକାଶ କରିଛନ୍ତି ଗୋଷ୍ଠିର ସମ୍ପାଦିକା ଶାନ୍ତିଲତା ବାରିକ ।