ନର୍ଲାରେ ପୁଣି ନିନାଦିତ ହେଲା ଶଙ୍ଖ, ମନୋରମା ମହାନ୍ତି ବ୍ଲକ ଅଧ୍ୟକ୍ଷା ଭାବେ ହେଲେ ନିର୍ବାଚିତ

ଲଗାତାର ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଲେ ମନୋରମା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଲଗାତାର ଦ୍ୱିତୀୟ ଥର ପାଇଁ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର ତୁଙ୍ଗ ନେତ୍ରୀ ମନୋରମା ମହାନ୍ତି । ସେ ତାଙ୍କ ପ୍ରତିଦ୍ବନ୍ଦୀ ସୀମନ୍ତିକା ଚାନ୍ଦଙ୍କୁ ପରାଜିତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ବ୍ଲକର ୨୬ଗୋଟି ସମିତି ସଭ୍ୟ ମଧ୍ୟରୁ ମନୋରମାଙ୍କ ପକ୍ଷରେ ୧୮ ଓ ସୀମାନ୍ତିକାଙ୍କ ପକ୍ଷରେ ୮ ଟି ଭୋଟ ପଡ଼ିଥିଲା । ଶେଷରେ ମନୋରମା ମହାନ୍ତି ନର୍ଲା ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ ଘୋଷିତ ହୋଇଥିଲେ । ନିର୍ବାଚନ ଅଧିକାରୀ ଭାବେ ଭବାନୀପାଟଣା ବିଡ଼ିଓ ବିନୟ ଭୋଇ କାର୍ଯ୍ୟନିର୍ବାହ କରିଥିବାବେଳେ ତାଙ୍କୁ ନର୍ଲା ଜିପିଓ କ୍ଷୀତିଶ ଚନ୍ଦ୍ର ନାଏକ ଓ ପିଇଓ ଜାଫେଦ ନାଗ ସହଯୋଗ କରିଥିଲେ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୭ରେ ମନୋରମା ପ୍ରଥମ ଥର ପାଇଁ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବାବେଳେ ତାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା) ବ୍ଲକ ଉପାଧ୍ୟକ୍ଷ ହୋଇଥିଲେ । ଏଥର ତାଙ୍କୁ ବ୍ଲକ ଅଧ୍ୟକ୍ଷା କରାଇନଦେବା ପାଇଁ ବିରୋଧୀ ଚକ୍ରବ୍ୟୁହ ରଚନା କରିଥିଲେ । ତେବେ ଶ୍ରୀଯୁକ୍ତ ଓ ଶ୍ରୀମତୀ ମହାନ୍ତିଙ୍କ ରଣନିତି ଆଗରେ ବିରୋଧିଙ୍କ ସବୁ ପ୍ଲାନ ଫେଲ ମାରିଲା । ମହାନ୍ତି ଦମ୍ପତ୍ତିଙ୍କ ଉପରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଜିଲ୍ଲା ବିଜେଡିର ଅନେକ ତୁଙ୍ଗ ନେତୃବୃନ୍ଦଙ୍କ ଆଶିର୍ବାଦ ରହିଥିବା ଜଣାପଡିଛି । ଏପଟେ ପାଞ୍ଚ ବର୍ଷକାଳ ନର୍ଲା ବ୍ଲକର ବିକାଶକୁ ଶିଖରକୁ ପହଞ୍ଚାଇଥିବା ତଥା ଅଞ୍ଚଳର ଜନତାଙ୍କ ସେବା କରି ସମସ୍ତଙ୍କ ମନ କିଣିନେଇଥିବା ମହାନ୍ତି ଦମ୍ପତ୍ତିଙ୍କ ଉପରେ ସାଧାରଣ ଲୋକଙ୍କ ଆଶିର୍ବାଦ ରହିଥିଲା । ଏହାକୁ ପାଥେୟ କରି ତଥା ଜିଲ୍ଲା ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସମର୍ଥନରେ ମନୋରମା ମହାନ୍ତି ପୁଣି ଥରେ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇପାରିଛନ୍ତି । ସେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ଖବର ଜଣାପଡିବା ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.