୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, ସମସ୍ତେ ବ୍ରହ୍ମପୁର ମେଡିକଲକୁ ସ୍ଥାନାନ୍ତର
ଓଡ଼ିଆ ବାର୍ତ୍ତା/ (ରାୟଗଡା ଶିବ ନାରାୟଣ ଗୈାଡ): ନିଆରେ ପୋଡି ହୋଇ ଗୋଟିଏ ପରିବାରର ୫ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ରାୟଗଡା ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ଗ୍ରାମରେ ଘଟିଛି ଏହି ଅଘଟଣ । ନିଆରେ ପୋଡି ହୋଇଥିବା ଗୁରୁତରମାନେ ହେଲେ ଦୟାନିଧି ବେହେରା ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ସମେତ ତାଙ୍କ ମଝିଆ ପୁଅ ଅନୀଲ, ବଡ ବୋହୁ ସ୍ୱପ୍ନା ଏବଂ ସାନପୁଅ ଶ୍ରୀକାନ୍ତ । ସମସ୍ତଙ୍କୁ ପ୍ରଥମେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ବାପା ଦୟାନିଧି, ମା ଲକ୍ଷ୍ମୀ ଓ ପୁଅ ଅନୀଲଙ୍କ ଶରୀର ୯୦ପ୍ରତିଶତ ପୋଡି ଯାଇଥିବାରୁ ସେମାନଙ୍କ ଅବସ୍ଥା ଭାରି ସଙ୍କଟାପନ୍ନ ରହିଥିବା ନେଇ ଡାକ୍ତର ବିରେନ୍ ନାଏକ ପ୍ରକାଶ କରିଛନ୍ତି । ଏଥିସହ ଦୟାନିଧିଙ୍କ ବଡବୋହୁ ସ୍ୱପ୍ନା ଏବଂ ସାନପୁଅ ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ପ୍ରକାରେ ଆଜି ଅପରାହ୍ନରେ ଦୟାନିଧି ବେହେରାଙ୍କ ଘରେ କୈାଣସି କାରଣ ବଶତଃ ଏକ ଅଗ୍ନିକାଣ୍ଡ ଘଟିଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୟାନିଧି, ସ୍ତ୍ରୀ ଲକ୍ଷ୍ମୀ ତାଙ୍କ ମଝିଆ ପୁଅ ଅନୀଲ, ବଡ ବୋହୁ ସ୍ୱପ୍ନା ଓ ଶ୍ରୀକାନ୍ତ ନିଆଁର ଅକ୍ତିଆରରେ ଆସି ଯାଇଥିଲେ । ନିଆରେ ପୋଡି ଦୟାନିଧିଙ୍କ ପରିବାର ଲୋକେ ଗୁରୁତର ହେବା ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଗୁରୁତର ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ରାୟଗଡାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ସମସ୍ତଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଘରେ ଏତେବଡ ଅଗ୍ନିକାଣ୍ଡ ଘଟିଗଲା ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଦୟାନିଧିଙ୍କ ଶୋଇବା କକ୍ଷରେ ପୋଲିସ ପେଟ୍ରୋଲ ପାଇଥିବାରୁ ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରି ତଦନ୍ତ ଜାରି ରଖିଥିବା କହିଛନ୍ତି କଲ୍ୟାଣସିଂହପୁର ଥାନା ଅଧିକାରୀ ଶ୍ରୀମତି ସୁକମା ହାଁସଦା । ଅପରପକ୍ଷେ ଦୟାନିଧିଙ୍କ ବଡପୁଅ ସୁନୀଲ ଦୁର୍ଘଟଣା ସମୟରେ ନିଜ ବେକେରୀ ଦୋକାନରେ ଥିବାରୁ ସେ ଅଳ୍ପକେ ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ।