ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ତରଫରୁ ଅନଲାଇନ୍ ମାଧ୍ୟମରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଡି.ଏସ. ଅରବିନ୍ଦ ଯୋଗ ଦେଇ ଯକ୍ଷ୍ମା ରୋଗର କାରଣ ଓ ପ୍ରତିକାର ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ବି. ଗୋବିନ୍ଦ ରାଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଏହି ରୋଗ ଦାଉରୁ ଅମୂଲ୍ୟ ଜୀବନ ରକ୍ଷା କରିବାକୁ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ଧର୍ମଗଡ଼ ଉପଖଣ୍ଡ ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ରର ପରିଚାଳକ ସୁରେନ୍ଦ୍ର କୁମାର ସାହୁ ଯକ୍ଷ୍ମା ରୋଗ ଦାଉରୁ ରକ୍ଷା ପାଇବା ପାଇଁ ସଚେତନ ହେବାକୁ ଗୁରୁତ୍ଵ ଦେଇଥିଲେ । ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଆବାହକ ସମ୍ପାଦକ ସଞ୍ଜୀବ କୁମାର ସାହୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଆଜାଦି କି ଅମୃତ ମହୋତ୍ସବର ଷଷ୍ଠ ତଥା ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ରୂପରେଖ ବର୍ଣ୍ଣନା କରିଥିଲେ । ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ତଥା ସ୍ତମ୍ଭକାର ମୋହନ ଚରଣ ବିଷି ଧନ୍ୟବାଦ ଅର୍ପଣ କରିଥିଲେ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ଯୁବ ରେଡକ୍ରସ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଅନ୍ ଲାଇନ୍ ଗୁଗଲ ମିଟ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ ।