ରାୟଗଡ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଓଡିଆ ପୁସ୍ତିକା ବଣ୍ଟନ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ଥିବା ରାୟଗଡା ଜିଲ୍ଲା ସଦର ବ୍ଳକର ଜାଙ୍ଗେସୁ ଗ୍ରାମର ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରୟାସ କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ । ଏହି ପରିପ୍ରେକ୍ଷୀରେ ରାୟଗଡ ସଦର ମହକୁମାଠାରୁ ୩୦ କିଲୋମିଟର ଦୁରତାରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଅବସ୍ଥିତ ଗାଜିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାଙ୍ଗେସୁ ଗ୍ରାମରେ ବିକାଶ ମଂଚ ପହଞ୍ଚି ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା, ଲିଖନୀ ପୁସ୍ତିକା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଉକ୍ତ ଗ୍ରାମ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଆନ୍ଧ୍ରପ୍ରଦେଶର ବିଦ୍ୟାଳୟ ରହିଛି । ଉକ୍ତ ଜାଙ୍ଗେସୁ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଗୃହ ରହିଥିବା ବେଳେ ସେଠାରେ କମ ସଂଖ୍ୟକ ଛାତ୍ରଛାତ୍ରୀ ରହିଥିବା ଦର୍ଶାଇ ଉକ୍ତ ବିଦ୍ୟାଳୟକୁ ବନ୍ଦ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଯାହା ଫଳରେ ସେମାନେ କୌଣସି ବିଦ୍ୟାଳକୁ ଯାଉ ନଥିବା ଓ ପାଠ ପ୍ରତି ଆଗ୍ରହ ନଥିବା ଦେଖା ଦେଇଥିଲା । ତେଣୁ ଉକ୍ତ ଅଞ୍ଚଳର ବିଦ୍ୟାଳରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଏହି ଭଳି ପ୍ରୟାସ କରାଯାଇଥିଲା । ଜାଙ୍ଗେସୁ ଗ୍ରାମର ଲୋକେ ସେଠାରେ ଥିବା ବିଦ୍ୟାଳକୁ ପୁନଃ କାର୍ଯ୍ୟକ୍ଷମ କଲେ ଗ୍ରାମରେ ଥିବା ଛୋଟ ଛୋଟ ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହୋଇ ଭଲ ପାଠ ପଢିବେ ବୋଲି ପ୍ରକାଶ କରିବା ସହ ଅନୁରୋଧ କରିଥିଲେ । ଏହି ସବୁକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସୀମାନ୍ତରେ ନିଜର ପ୍ରୟାସ ଜାରୀ ରଖିଥିବା ଓ ଆଗକୁ ଅନେକ କାର୍ଯ୍ୟ କରାଯିବା ନେଇ ସଭାପତି ଦୟାନନ୍ଦ ଖାଡଙ୍ଗା ପ୍ରକାଶ କରିଛନ୍ତି । ଏହି ଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଦୟାନନ୍ଦ ଖାଡଙ୍ଗା ନେତୃତ୍ୱରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଉପଦେଷ୍ଟା ସାରଥୀ ପଟନାୟକ, ସଭ୍ୟ ମନୋଜ କୁମାର ସାହୁ, ସୁରେଶ ସାହୁ, ସରୋଜ କୁମାର ସାହୁ ଓ ସାହୁ କୁଲଦୀପ ପ୍ରମୂଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।