କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୋରାପୁଟ ଗସ୍ତ, ଜଳ ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଖୁବଶୀଘ୍ର କୋରାପୁଟର ଜଳ ସମସ୍ୟା ସମାଧାନ ହେବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି । ସେ ଆହୁରି କହିଛନ୍ତି ‘ଜିଲ୍ଲାର ସମସ୍ତ ଡ୍ୟାମର ପୁନରୁଦ୍ଧାର ସହ ଜଳ କଷ୍ଟକୁ ଏଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି । କୋରାପୁଟ ବାସିନ୍ଦାଙ୍କ ଉଦବେଗକୁ ସମ୍ମାନ ନେଇ ଜିଲ୍ଲାରୁ ଜଳ ସଂକଟ ଦୂର କରିବାକୁ ସେ ପ୍ରତିଶୃତି ଦେଇଛନ୍ତି । ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଗସ୍ତ ବେଳେ କୁନ୍ଦୁରା ଠାରେ ଏକଲବ୍ୟ ମଡେଲ ବିଦ୍ୟାଳୟ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ଅପରାହ୍ନରେ କୋରାପୁଟ ସର୍କିଟ ହାଉସ ଠାରେ ଆଦିବାସୀଙ୍କ ବିକାଶ ଏବଂ କେନ୍ଦ୍ର ସରକାରଙ୍କ ଜଳଶକ୍ତିର ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିବେ । କୋରାପୁଟ ଜିଲ୍ଲାରେ ଜଳ ଉତ୍ସ କମିବା ନେଇ ମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି । ମୃତ୍ତିକା କ୍ଷୟ ଓ ଜଳ ସଂରକ୍ଷଣ ହୋଇ ପାରୁନଥିବାରୁ ଜଳଭଣ୍ଡାର ଗୁଡିକରେ ଜଳ ପରିମାଣ କମିବା ଯୋଗୁଁ ମାଟି ପୋତି ହୋଇଯାଉଛି । ଏହାର ତୁରନ୍ତ ପୁନରୁଦ୍ଧାର କରିବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ପାଇଁ ଡ୍ୟାମ ଓ ପୋଖରୀ ଗୁଡ଼ିକ ପୁନରୁଦ୍ଧାର କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଦୀର୍ଘ ବର୍ଷ ଧରି କୋଲାବ ଡ୍ୟାମର ପୁନରୁଦ୍ଧାର ହୋଇଥିବା ନ ଯୋଗୁଁ ଜଳଭଣ୍ଡାର ଶୁଷ୍କ ଅବସ୍ଥାକୁ ଆସି ଯାଇଛି ।ରାଜ୍ୟ ସରକାର ଯେତେ ଶୀଘ୍ର କୋଲାବ ଡ୍ୟାମର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦେବେ, କେନ୍ଦ୍ର ସରକାର ସେତେ ଶୀଘ୍ର ତ୍ବରିତ ବେଗରେ ଅର୍ଥ ଯୋଗାଇ ଦେବେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନାରେ ଜଳ ସଙ୍କଟକୁ ଏଡେଇବା ପାଇଁ ଯଥାଶୀଘ୍ର ପ୍ରତି ଜିଲ୍ଲାରେ ୭୫ଟି ଜଳାଶୟକୁ ପୁନରୁଦ୍ଧାର କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ ଆଶା ପୋଷଣ କରିଛନ୍ତି । ଅନ୍ୟପଟେ ଆଜି ସନ୍ଧ୍ୟାରେ ଦାମନଯୋଡି ନାଲକୋ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗଦାନ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.