ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧ ବୃଦ୍ଧା ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନର୍ଲା ବ୍ଲକ ଅନ୍ତର୍ଗତ ଭାଟେଲ ଗ୍ରାମର ବୃଦ୍ଧ ଦମ୍ପତି ଦୂତିଆ ଝରା ( ୭୬) ଓ ସ୍ତ୍ରୀ ଉର୍ମିଳା ଝରା (୭୧) ନିଜର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଜମା ହେଇଛି କି ନାହିଁ ତାହା ଯାଞ୍ଚ କାରାଇ ଟଙ୍କା ଉଠାଇବା ପାଇଁ ମ. ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଆସିଥିଲେ । ୪୩ ଡିଗ୍ରୀ ତାତିରେ ବୃଦ୍ଧ ଦମ୍ପତ୍ତି ନିଜ ଭତ୍ତା ଟଙ୍କା ପାଇବା ପାଇଁ ପ୍ରାୟ ୫/୬ କିମି ଦୂର ବ୍ୟାଙ୍କ କୁ ଆସିଥିଲେ । ଏପଟେ ପ୍ରବଳ ଗରମ ଝାଞ୍ଜି ଅନ୍ୟପଟେ ବୃଦ୍ଧ ଜଣକ ମୁର୍ଚ୍ଛା ରୋଗୀ । କାଳକୁ ବ୍ୟାଙ୍କ୍ ସମ୍ମୁଖ ରାସ୍ତା ପାଖରେ ବୃଦ୍ଧ ଜଣକ ମୂର୍ଚ୍ଛା ଯାଇ ଅଚେତ ହୋଇ ପାଡ଼ି ରହିଥିଲେ । ସେ ଅପରାହଣ ପ୍ରାୟ ୩ ଘଣ୍ଟା ସମୟରୁ ଅଚେତ୍ ହୋଇ ପଡ଼ି ରହିଥିଲେ ସନ୍ଧ୍ୟା ୬ ଘଣ୍ଟା ପାଖାପାଖି, ତଥାପି ସେ ଉଠି ପାରିଲେ ନାହିଁ । ବୃଦ୍ଧା ନିଜ ବୃଦ୍ଧ ସ୍ଵାମୀକୁ କେମିତି ଘରକୁ ଫେରାଇ ନେବ । ସେ ଅସହାୟ ହୋଇ କେବଳ ଜଳକା ହୋଇ ଲୋକଙ୍କ ସାହାଯ୍ୟ ପାଇବା ପାଇଁ ଜଗି ରହିଥିଲା । ସେମାନଙ୍କ ପାଖରେ ଟଙ୍କାଟିଏ ନାହିଁ । ବୃଦ୍ଧାଙ୍କ ଅଭିଯୋଗ ଅନୁଯାଇ – ସେମାନେ ୩ ମାସ ହେଲା ଭତ୍ତା ଟଙ୍କା ପାଇ ନାହାନ୍ତି । ପାଖ ଦୋକାନୀ ହନୁ କୁମାର ନାଗ ନିଜ ଖର୍ଚ୍ଚରେ ଗୋଟିଏ ଟେମ୍ପୋ ଗାଡ଼ି ବ୍ୟବସ୍ଥା କରି ଅସୁସ୍ଥ ବୃଦ୍ଧ ଏବଂ ବୃଦ୍ଧାଙ୍କୁ ତାଙ୍କ ଘରକୁ ଯିବା ବ୍ୟବସ୍ଥା କରାଇଥିଲେ । ସରକାର ବୃଦ୍ଧ ବୃଦ୍ଧlଙ୍କ ଭତ୍ତା ଟଙ୍କା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବଣ୍ଟନ କରୁଥିଲେ । ଏବେ ବ୍ୟାଙ୍କ ଖାତା ମାଧ୍ୟମରେ ଦେବା ବ୍ୟବସ୍ଥା ଆରମ୍ଭ କରିଛନ୍ତି । ହେଲେ ବୃଦ୍ଧ ବୃଦ୍ଧା ବ୍ୟାଙ୍କକୁ ଦୌଡ଼ି ହନ୍ତସନ୍ତ ହେଉଛନ୍ତି । ଖରା ତାତିରେ ବୃଦ୍ଧ ବୃଦ୍ଧାଙ୍କ ଜୀବନ ଯିବା ବଡ଼ କଥା ନୁହେଁ । ଏଣୁ ପ୍ରଶାସନ ବିହିତ ପଦକ୍ଷେପ ନେଇ ବୃଦ୍ଧ ବୃଦ୍ଧାଙ୍କ ମଙ୍ଗଳ ଏବଂ ସୁରକ୍ଷା ପାଇଁ ଗ୍ରୀଷ୍ମ ମାସ ଭତ୍ତା ଟଙ୍କା ଘରେ ଘରେ ପହଞ୍ଚେଇବା ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.