ଚାଷୀଙ୍କ କାଦୁଅ ବୋଳା ଉତ୍ସବ ସହ ସମ୍ପନ୍ନ ହେଲା ବିହନଛିନା ଯାତ୍ରା

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ପାନାବେଡା ଅଞ୍ଚଳର ଅନ୍ୟତମ ପ୍ରମୁଖ ଉତ୍ସବ ବିହନଛିନ୍ନା ଯାତ୍ରା ବିଭିନ୍ନ ଗ୍ରାମରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଗ୍ରାମରେ ପାରମ୍ପରିକ ରୀତିନୀତିରେ ବିହନଛିନ୍ନା ଯାତ୍ରା ସହ କାଦୁଅ ବୋଳା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଗ୍ରାମର ଶତାଧିକ ଚାଷୀ ଭାଗନେଇଥିବାରୁ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିଲା। ଏହି ଉତ୍ସବ କେଉଁ ଆବାହମାନ କାଳରୁ ଚାଲି ଆସୁଥିବା ବେଳେ କାଦୁଅ ବୋଳା ଉତ୍ସବର ପରଦିନ ଠାରୁ ଚାଷ କାର୍ଯ୍ୟ ଆରମ୍ବ ହୋଇଥାଏ ବୋଲି ବରିଷ୍ଠ ଚାଷୀ ମାନେ ପ୍ରକାଶ କରିଛନ୍ତି। ଅନକାବେଡା ଗ୍ରାମଦେବୀ ପୂଜକ ଭୂଜବଲ ପୂଜାରୀଙ୍କ କହିବା ଅନୁଯାୟୀ ଗତ ସପ୍ତାହ ଠାରୁ ଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ବ ହୋଇଥିଲା। ଏଥିରେ ବିହନ ବ୍ୟବସ୍ଥା, ଦେବଦେବୀଙ୍କ ପୂଜା ଓ ବଳି ସମ୍ପର୍କରେ ଆଲୋଚନା କରାଯାଇ ଲଗ୍ନ ଧାର୍ଯ୍ୟ ସୂଚୀ ଅନୁସାରେ ପ୍ରଥମ ଦିନ ପିତା ବିହନ ନାଁରେ ପୂଜା କରାଯାଇ ଆଂଶିକ ବିହନ ଗ୍ରହଣ କରା ଯାଇଥିବା ବେଳେ ଆଜି ପୂର୍ଣ୍ଣାଙ୍ଗ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ ଗୈାନ୍ତିଆ ନିମାଇଁ ଚରଣ ପାଣ୍ଡେଙ୍କ ଘରୁ ପୂଜା ସାମଗ୍ରୀ ନିଆଯାଇ ବିହନ ପ୍ରଦାନ ସ୍ଥଳରେ ରଖାଯାଇ ପୂଜା କରାଯିବା ସହ ବଳି ଦିଆ ଯାଇଥିଲା। ପରେ ବିହନ ଗ୍ରହଣ ପର୍ବ ସହ ଦେବୀ ସେବକ ବିହନ ଗ୍ରହଣ କରିଥିବା ଚାଷୀ ମାନଙ୍କୁ ବାଟ ଉଗାଳିବା ସହ ସେମାନଙ୍କ ପିଠିରେ କାଦୁଅ ବୋଲିଥିଲେ। ବିହନ ଧରି ଘରକୁ ଫେରିବା ବେଳେ ସମସ୍ତ ଚାଷୀ ଏକତ୍ରିତ ହୋଇ ବାଦ୍ୟ ବାଜଣା ସହ ପୂଜକ ଓ ଗୈାନ୍ତିଆଙ୍କୁ ତାଙ୍କ ଘରକୁ ପହଁଞ୍ଚାଇଥାନ୍ତି। ଏହା ପରେ ଚାଷୀ ମାନେ ନିଜ ଘରକୁ ବିହନ ଧରି ପହଁଞ୍ଚିବା ପରେ ମହିଳା ମାନେ ବନ୍ଦାପନା କରି ପାଛୋଟି ନେଇଥାନ୍ତି। ନୂଆପଡା, ଅନକାବେଡା ଏବଂ ଜରାବନ୍ଧ ଗ୍ରାମରେ ଆଜି ବିହନଛିନ୍ନା ଯାତ୍ରା ଆନନ୍ଦ ଉଲ୍ଲାସରେ ପାଳନ ହୋଇଥିବା ଚାଷୀ ମାନେ କହିଛନ୍ତି।ଅନକାବେଡାରେ ପାଳିତ ବିହନଛିନ୍ନା ଯାତ୍ରାରେ ଗଙ୍ଗାରାମ ଅଣ୍ଟି, ଗଙ୍ଗାରାମ ମାଝି, ରଘୁ ମାର୍କାମ, ରାଜ କୁମାର ନାଗ, ଘନଶ୍ୟାମ ମର୍କାମ, ଘାସିରାମ ମାଝୀ ପ୍ରମୁଖ ସହଯୋଗ କରିଥିବା ବେଳେ ମଧୁସିଂ ପାଣ୍ଡେ, ନବୀନ ନାଗ, କିଶୋର ଚନ୍ଦ୍ର ପାଣ୍ଡେ, କେଶବ ଗୋପାଳ, ରଥିରାଜ ପାଣ୍ଡେ, ଲମ୍ବୁଧର ବଗର୍ତୀ, ମୋତିଲାଲ ପାଣ୍ଡେ, ପ୍ରତାପ ପାଣ୍ଡେ, ରାମେଶ୍ୱର ଗଣ୍ଡା, ଶଙ୍କର ମାଝୀ, ଗଣେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.