ଦଣ୍ଡ ଚଢ଼େୟା ଲୋକ ନାଟ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ତରଫରୁ ବ୍ରହ୍ମପୁର ସହରସ୍ଥ ସମସ୍ତ ନାଟ୍ୟାନୁଷ୍ଠାନ ମାନଙ୍କ ଏକତ୍ରୀକରଣ ତଥା ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ନିମନ୍ତେ “ସବୁ କଳାକାର ଏକ ପରିବାର” କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଅଭ୍ୟର୍ଥନା କକ୍ଷ ପରିସରରେ ବରିଷ୍ଠ ନାଟ୍ୟ ସଂଗଠକ କେ. ବଳରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାକ୍ତନ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ଓଡ଼ିଶା ନାଟକ ସମାରୋହ ସମିତି ସଭାପତି ଅନିଲ କୁମାର ପାତ୍ର, ଓଡ଼ିଶା ନାଟ୍ୟ ସଂଘ ଉପ ସଭାପତି ଇଂ. ମନୋଜ ଦଣ୍ଡପାଟ, ଶାଶ୍ଵତୀ ପ୍ରଗତିଶୀଳ ନାଟ୍ୟାନୁଷ୍ଠାନ ସଭାପତି ରାମ ଚନ୍ଦ୍ର ସାସମଲ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କ ଭିତରେ ଭାଇଚାରା ଉଦ୍ରେକ ନିମନ୍ତେ ସମସ୍ତ ସାଂସ୍କୃତିକ ସହ ସୁସମନ୍ଵୟ ରକ୍ଷା ପ୍ରସଙ୍ଗରେ ସ୍ଵ ସ୍ୱ ବକ୍ତବ୍ୟ ଉପସ୍ଥାପନ ସହ ସଂଘର ଏତାଦୃଶ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଚଳିତ ମାସ ଶେଷ ସରିକି ସଂଘ ପକ୍ଷରୁ “ଦଣ୍ଡ ଚଢ଼େୟା ଲୋକ ନାଟ ସମାରୋହ” ଓ ତହିଁର ପ୍ରମୁଖ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମର ବିଶଦ ରୂପରେଖ ଉପସ୍ଥାପନ କରିଥିଲେ । ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ଚଳିତ ମାସ ୧୫ ତାରିଖ ବୈଠକରେ ସ୍ଥିର କରିବା ନେଇ ସୂଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସମ୍ପାଦକ ନାଟ୍ୟକାର ରମେଶ ମହାରଣା, ଓଡ଼ିଶା ନାଟକ ସମାରୋହ ସମିତି ସମ୍ପାଦକ ଶଙ୍କର୍ଷଣ ସାବତ, କଳା ଓ କଳାକାର ପ୍ରତିଷ୍ଠାନ ସମ୍ପାଦକ ଡଃ ମିହିର ତ୍ରିପାଠୀ, କଳା ପ୍ରାଣ କୈଳାସ ପାଣିଗ୍ରାହୀ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କାର୍ଯ୍ୟ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସମ୍ପାଦନ କରିଥିବା ବେଳେ ଓଡ଼ିଶା ସାଂସ୍କୃତିକ ସଂସଦ ଉପ ସଭାପତି ଟି. ଆପା ରାଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.