ମୌସୁମୀ ଜନିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ

ବନ୍ୟା ସମୟରେ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖିବା ପାଇଁ ନିଆଗଲା ଅନେକ ମହତ୍ବପୂର୍ଣ୍ଣ ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆସନ୍ତା ମୌସୁମୀ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ) ଦ୍ବାରା ବନ୍ୟାପ୍ରବଣ କ୍ଷେତ୍ରରେ ହୋଇଥିବା ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା । ସେ ମଧ୍ୟ ଦେଶରେ ବନ୍ୟା ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ଲାଗି ଏକ ବିସ୍ତୃତ ଓ ବ୍ୟାପକ ନୀତି ପ୍ରସ୍ତୁତ କରିବା ଲାଗି ଦୀର୍ଘକାଳୀନ ଉପାୟର ସମୀକ୍ଷା କରିଥିଲେ । ବୈଠକରେ ବନ୍ୟା ସମୟରେ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖିବା ପାଇଁ ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ପ୍ରମୁଖ କ୍ୟାଚମେଣ୍ଟ କ୍ଷେତ୍ରରେ ବନ୍ୟା ଜଳସ୍ତର ବୃଦ୍ଧି ସମ୍ପର୍କରେ ସବୁଠୁ ତଳ ସ୍ତର ପର୍ଯ୍ୟନ୍ତ ଆଗୁଆ ସତର୍କ ସୂଚନା ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟସ୍ତରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ଲଗାତାର ସମନ୍ବୟ ସ୍ଥାପନ ଲାଗି ସେ ଅଧିକାରୀମାନଙ୍କୁ କହିଥିଲେ । ସେ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ, ଚଳିତ ବନ୍ୟା ଋତୁରେ ନଦୀ ଜଳସ୍ତରର ବର୍ତ୍ତମାନର ସ୍ଥିତି ଏବଂ ସମ୍ଭାବ୍ୟ ସ୍ଥିତିକୁ ପ୍ରତି ଘଣ୍ଟାରେ ଅନୁଧ୍ୟାନ କରାଯିବା ଉଚିତ୍‌ । ବନ୍ୟା ମୁକାବିଲା ପାଇଁ ସମସ୍ତ ସମ୍ପୃକ୍ତ ଅଂଶୀଦାରମାନେ ବନ୍ଧ ବାନ୍ଧିବା, ଉଦ୍ଧାର କାର୍ଯ୍ୟ କରିବା ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବା ଭଳି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଅଧିକ ବର୍ଷା ପ୍ରବଣ କ୍ଷେତ୍ରରେ ସ୍ଥାନୀୟ, ନଗରପାଳିକା ଏବଂ ରାଜ୍ୟ ସ୍ତରରେ ବର୍ଷା ପୂର୍ବରୁ ଆଗୁଆ ଚେତାବନୀ ଜାରି କରିବା ଲାଗି ରାଜ୍ୟମାନଙ୍କ ସହ ମିଶି ଏସଓପି ପ୍ରସ୍ତୁତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଏନଡିଆରଏଫକୁ ନିର୍ଦ୍ଦେଶ ଦେଇଥିଲେ। ସଠିକ୍‌ ପାଣିପାଗ ଓ ବନ୍ୟା ପୂର୍ବାନୁମାନ ଲାଗି ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ କେନ୍ଦ୍ର ଜଳ ଆୟୋଗ (ସିଡବ୍ଲୁସି) ଭଳି ବିଶେଷ ସଂସ୍ଥାମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏସଏମଏସ, ଟିଭି, ଏଫଏମ ରେଡିଓ ଏବଂ ଅନ୍ୟ ମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ବଜ୍ରପାତ ସମ୍ପର୍କରେ ଠିକ୍‌ ସମୟରେ ଚେତାବନୀ ଜାରି କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଶାହା କହିଥିଲେ ଯେ, ବଜ୍ରପାତ ସମ୍ପର୍କରେ ଜିଲ୍ଲାପାଳ ଏବଂ ପଞ୍ଚାୟତକୁ ଆଗୁଆ ସତର୍କ ସୂଚନା ଦେବା ଲାଗି ବ୍ୟବସ୍ଥା କରିବା ନିମନ୍ତେ ଏନଡିଆରଏଫ ଏବଂ ଏସଡିଆରଏଫକୁ କୁହାଯାଇଛି, ଯାହାଫଳରେ ଧନଜୀବନ ହାନିକୁ ହ୍ରାସ କରାଯାଇପାରିବ । ‘ଉମଙ୍ଗ’, ‘ରେନ୍‌ ଆଲାର୍ମ’ ଓ ‘ଦାମିନୀ’ ଭଳି ପାଣିପାଗ ପୂର୍ବାନୁମାନ କରୁଥିବା ବିଭିନ୍ନ ମୋବାଇଲ ଆପ୍‌ ସମ୍ପର୍କରେ ସର୍ବାଧିକ ପ୍ରଚାରପ୍ରସାର ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ ଯାହାଦ୍ବାରା ନିର୍ଦ୍ଦିଷ୍ଟ ଲୋକଙ୍କ ନିକଟରେ ଏହାର ଲାଭ ପହଞ୍ଚି ପାରିବ । ‘ଦାମିନୀ ଆପ୍‌କୁ ଦେଶର ସବୁ ସ୍ଥାନୀୟ ଭାଷାରେ ଉପଲବ୍ଧ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ‘ଦାମିନୀ’ ଆପ୍‌ ତିନି ଘଣ୍ଟା ପୂର୍ବରୁ ବଜ୍ରପାତର ସତର୍କ ସୂଚନା ଦେଇଥାଏ ଯାହାକି ଧନଜୀବନ ହାନିକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଶ୍ରୀ ଅମିତ ଶାହା ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ସିଡବ୍ଲୁସିକୁ କେତେକ ନିର୍ଦ୍ଦେଶ ଦେଇଥିଲେ । ନଦୀବନ୍ଧ ସୁରକ୍ଷା ଆଇନ, ୨୦୨୧ ଅନୁଯାୟୀ ରାଜ୍ୟ ସ୍ତରରେ ଏବଂ ନଦୀବନ୍ଧ ସ୍ତରରେ ସଂସ୍ଥାଗତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଆଗୁଆ ସମୟୋଚିତ ପଦକ୍ଷେପ ନେବାକୁ ଶ୍ରୀ ଶାହା କହିଥିଲେ । ଯାହା ଫଳରେ ଜଳସ୍ତର ଓ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ ଏବଂ ଧନଜୀବନ ହାନି ହ୍ରାସ କରିବା ସମ୍ଭବ ହୋଇପାରିବ । ପୂର୍ବରୁ ଗତବର୍ଷ ଜୁନ ୧୫, ୨୦୨୧ରେ ଶ୍ରୀ ଅମିତ ଶାହା ଦେଇଥିବା ନିର୍ଦ୍ଦେଶକୁ ଅନୁସରଣ କରି ସିଡବ୍ଲୁସି, ଆଇଏମଡି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ପକ୍ଷରୁ ନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରାଯାଉଛି ଏବଂ ଏ ସମ୍ପର୍କରେ ନିୟମିତ ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.