ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଘଟଣା: ଦାନ ସୂତ୍ରରେ ମିଳୁଥିବା ଜମିରେ ନିର୍ମାଣ ନେଇ ସ୍ଥିତି ଅନୁଧ୍ୟାନ

ସମ୍ପୃକ୍ତ ଜମିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ଟ୍ରାନ୍ସପୋର୍ଟ ଓ ରାଜସ୍ୱ ବିଭାଗ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲିଠାରେ ଦାନ ସୂତ୍ରରେ ମିଳୁଥିବା ଏକ ଜମିରେ ସ୍ଥାୟୀ ବାସଷ୍ଟାଣ୍ଡ ନିର୍ମାଣ ନେଇ ନୂଆପଡା ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇ ଥିବାବେଳେ ଏନେଇ ଜିଲ୍ଲାପାଳ କଥା ରଖିଥିବା ଜଣାପଡିଛି। ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ସ୍ଥାନରେ ଜିଲ୍ଲା ଟ୍ରାନ୍ସପୋର୍ଟ ଓ ରାଜସ୍ୱ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ସବିଶେଷ ତଥ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ତ୍ୱରିକ ପଦକ୍ଷେପ ପାଇଁ କଥା ଦେଇ କଥା ରଖିଲେ ଜିଲ୍ଲାପାଳ ବୋଲି ବିଭିନ୍ନ ମହଲରେ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସିନାପାଲିରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦୀର୍ଘଦିନରୁ ଲାଗିରହିଥିବା ସମସ୍ୟା ସମାଧାନ ତଥା ସିନାପାଲିବାସୀଙ୍କ ସ୍ୱପ୍ନ ବର୍ତ୍ତମାନ ପୂରଣ ହେବାକୁ ଯାଉଛି। ସିନାପାଲିରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାରମ୍ବାର ପ୍ରଶାସନ ନିକଟରେ ଏନେଇ ଦାବି ହୋଇ ଆସୁଥିଲେ ହେଁ ସରକାରୀ ଜମି ଅଭାବରୁ କୌଣସି ସୁଫଳ ମିଳୁନଥିଲା। ବସଷ୍ଟାଣ୍ଡ ନିର୍ମାଣ ପାଇଁ ସିନାପାଲି ସହରରେ ଉପଯୁକ୍ତ ଜମି ମିଳୁନଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ଜଣେ ବଦାନ୍ୟ ବ୍ୟକ୍ତି ତ୍ରିନାଥ ମେହେର ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଦାନ କରୁଥିବା ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏନେଇ ଗତ ଶୁକ୍ରବାର ସିନାପାଲି ଅଞ୍ଚଳବାସୀଙ୍କ ତରଫରୁ ଉଦନ୍ତୀ ୟୁଥ କ୍ଲବ ସଭାପତି ସୁରଜ ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଦାନ ସୂତ୍ରରେ ମିଳୁଥିବା ଉକ୍ତ ଜମି ଉପରେ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହ ଏନେଇ ଦୀର୍ଘ ସମୟ ବିଷଦ ଭାବେ ଆଲୋଚନା କରିଥିଲେ। ଉକ୍ତ ବିଷୟକୁ ଜିଲାପାଳ ମହୋଦୟ ଗୁରୁତ୍ୱର ସହ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକାଶ ଯେ, ସିନାପାଲି ସହରରେ ସରକାରୀ ଜମି ର ଘୋର ଅଭାବ ଥିବା ଯୋଗୁଁ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇପାରୁନାହିଁ। ସୂଚନା ଯୋଗ୍ୟ ଯେ, ସିନାପାଲି ସହରରେ ସରକାରୀ ଜମି ଅଭାବରୁ ଅନେକ ଅଙ୍ଗନୱାଡ଼ି କେନ୍ଦ୍ର କୋଠା ମଧ୍ୟ ନିର୍ମାଣ ହୋଇପାରୁ ନାହିଁ। ଏଣୁ ସିନାପାଲିରେ ଥିବା କିଛି ସରକାରୀ ଜମି ଭବିଷ୍ୟତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏପରିପ୍ରେକ୍ଷୀରେ ଦାନ ସୂତ୍ରରେ ମିଳୁଥିବା ଜମିକୁ ଗ୍ରହଣ କରି ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରିବା ଉଚିତ ହେବ ବୋଲି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଅବଗତ କରାଯାଇଥିଲା। ଦାନ ସୂତ୍ରରେ ମିଳୁଥିବା ଉକ୍ତ ଜମି ସିନାପାଲି ମଧ୍ୟଦେଇ ଯାଉଥିବା ଫୋରୱେ ରାସ୍ତା ଉପରେ ରହିଥିବା ବେଳେ ସବୁ ଆଡକୁ ସଂଯୋଗୀକରଣ ସହଜ ହେବା ସହ ଲୋକଙ୍କ ବହୁବିଧ ସୁବିଧା ହୋଇପାରିବ। ସିନାପାଲି, କାପସି ଓ ଯୁଗେନପଦର ଠାରୁ ମଧ୍ୟ ଉକ୍ତ ସ୍ଥାନ ସମାନ୍ତରାଳ ଦୁରତା ରେ ରହୁଛି। ଫଳରେ ଏହି ସ୍ଥାନକୁ ଦାନ ସୂତ୍ରରେ ଗ୍ରହଣ କରିବା ସହ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଜିଲାପାଳଙ୍କୁ ସାକ୍ଷାତ କରି ଲିଖିତ ଭାବେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ସିନାପାଲିବାସୀ ଅନୁରୋଧ କରିଥିଲେ। ଏକ ପ୍ରତିନିଧି ଦଳ ଜରିଆରେ ଅଞ୍ଚଳବାସୀଙ୍କ କଥାରଖି ଜିଲାପାଳ ସମ୍ପୃକ୍ତ ସ୍ଥାନର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଟ୍ରାନ୍ସପୋର୍ଟ ଓ ରାଜସ୍ବ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ। ବିଭାଗୀୟ ତରଫରୁ ସ୍ଥାନର ସ୍ଥିତ ଅନୁଧ୍ୟାନ କରି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ସ୍ଥିତି ଅନୁଧ୍ୟାନ ସମୟରେ ଜିଲ୍ଲା ଟ୍ରାନ୍ସପୋର୍ଟ ମ୍ୟାନେଜରଙ୍କ ସମେତ ବିଭାଗୀୟ ଅଧିକାରୀ କର୍ମଚାରୀ ଏବଂ ସିନାପାଲି ତହସିଲଦାର ଲୋକନାଥ ଶବର, ସୁପରଭାଇଜର ଶ୍ରୀ ମେହେର, ରାଜସ୍ୱ ନିରୀକ୍ଷକ ଉମେଶ ମେହେରଙ୍କ ସମେତ ସ୍ଥାନୀୟ ଜମିଦାତା ତ୍ରିନାଥ ମେହେର, ସୁରଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.