ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନ ଦୟାଲ ଗ୍ରାମୀଣ କୋଶଳ ଯୋଜନାର କର୍ମ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ପଞ୍ଚମୀ ଦୀପ, ଗୋଲାମୁଣ୍ଡା ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନୀ ରାଉତ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ବିପିଏମ ସୁଧାଂଶୁ ଶେଖର ବିଶ୍ୱାଳ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତର ବେରୋଜଗର ଶିକ୍ଷିତ ଯୁବକ ଯୁବତୀ ବହୁ ମାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଦିନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୋଶଳ ଯୋଜନାରେ ବିନା ମୂଲ୍ୟରେ ତାଲିମ ନେଇ ନିଜର ରୋଜଗାର ପନ୍ଥା ବଢିବ ଏ ନେଇ ବ୍ଲକ ଅଧ୍ୟକ୍ଷ, ବିଡିଓ ଓ ବିପିଏମ ପୁଙ୍ଖାନୁ ପୁଙ୍ଖ ଭାବରେ ଉପସ୍ଥିତ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କୁ ବୁଝାଇଥିଲେ । ଅନେକ ଯୁବକ ଓ ଯୁବତୀ ଆକୃଷ୍ଟ ହୋଇ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପଞ୍ଜିକୃତ କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ପୂର୍ବରୁ ଅନେକ ଯୁବକ ଯୁବତୀ ତାଲିମ ନେଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ।