ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ ମାଉଣ୍ଟେନ କିଡ୍ସ ଇଂଲିଶ ମିଡିୟମ ସ୍କୁଲ ପରିସରରେ ଶିଶୁ ସାମ୍ବାଦିକମାନଙ୍କୁ ନେଇ ୱାର୍ଲ୍ଡ ଭିଜନ ଇଣ୍ଡିଆ ପକ୍ଷରୁ ଏକ ସମ୍ବାଦ ଓ ସୃଜନଶୀଳ ଲିଖନ କର୍ମଶାଳା ଆୟୋଜିତ ହୋଇଯାଇଛି। ୱାର୍ଲ୍ଡ ଭିଜନ ଇଣ୍ଡିଆ ଏଡିପି ନର୍ଲାର ପ୍ରୋଗ୍ରାମ ମେନେଜର ପିଭି କ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଓ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଅତିଥି ଭାବେ ଯୋଗଦେଇ ସମ୍ବାଦ ଓ ସୃଜନଶୀଳ ଲିଖନ ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଏହି ଅବସରରେ ସଂସ୍ଥା ପକ୍ଷରୁ ପ୍ରକାଶିତ ହେବାକୁ ଥିବା ଶିଶୁ ପତ୍ରିକା ପାଇଁ ଆସିଥିବା ସମ୍ବାଦ ଓ ଲେଖାର ସମୀକ୍ଷା କରାଯାଇଥିଲା। ଏଥିରେ ଶିଶୁ ସାମ୍ବାଦିକତା ସହ ଶିଶୁମାନଙ୍କର ସମସ୍ୟା ତଥା ବଞ୍ଚିବାର ଅଧିକାର, ସୁରକ୍ଷାର ଅଧିକାର, ଉନ୍ନତିର ଅଧିକାର ଓ ସହଭାଗିତାର ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ନର୍ଲା ବ୍ଲକର ୧୧ଟି ଗ୍ରାମପଞ୍ଚାୟତରୁ ଶିଶୁ ସାମ୍ବାଦିକମାନେ ଯୋଗଦେଇ ନିଜ ଅଞ୍ଚଳର ସମସ୍ୟା, ଦର୍ଶନୀୟ ସ୍ଥାନ, ବ୍ୟକ୍ତିତ୍ୱ, ପରମ୍ପରା, ଉତ୍ତମ ଅଭ୍ୟାସ, ଗଳ୍ପ, କବିତା, ପ୍ରବନ୍ଧ ଆଦି ଲିଖନ କୌଶଳର ବିକାଶ କରିଥିଲେ। ଏଥିରେ ୱାର୍ଲ୍ଡ ଭିଜନ ଇଣ୍ଡିଆର କର୍ମକର୍ତ ପ୍ରତିମା ତାଣ୍ଡି, ଡେଭିଡ ଜନ୍ ଦାସ, ବବଲୁ ମହାନନ୍ଦ, ଈମାନୁଏଲ୍ ହନୁମାନ ପ୍ରମୁଖ ସହଯୋଗ କରିଥିଲେ।