ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସାନନଦୀ ପାଳାକା ପ୍ରଗଣାଠାରେ ଆଦିସ୍କନ୍ଧ ସମାଜର ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚତୁରସେନ ଭୋଇଙ୍କ ସଭାପତିତ୍ୱରେ ଉକ୍ତ ନୂଆଖାଇ ଭେଟଘାଟ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ତଥା ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ତାଙ୍କର ସାମାଜିକ, ଅର୍ଥନୈତିକ, ଭାଷା ବୋଲିର ବିକାଶ କରିବା ସହିତ ସାଂସ୍କୃତିକ ସୁରକ୍ଷା, ଧର୍ମପିଠର ସୁରକ୍ଷା ସାଙ୍ଗକୁ ଆଦିବାସୀମାନଙ୍କର ସାମୁହିକ ବିକାଶ କରିବାକୁ ହେଲେ ଉଚ୍ଚ ଶିକ୍ଷା,ଗୁଣାତ୍ମକ ଶିକ୍ଷା ବିକାଶ କରିବା ଜରୁରୀ ବୋଲି କହିଥିଲେ । ସେ ଆଦିବାସୀଙ୍କ ପାଇଁ ବିଗତ ଦିନରେ ରାସ୍ତାରେ ଲଢେଇ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟସଭା ସାଂସଦ ହୋଇଥିବାରୁ ଆଦିବାସୀଙ୍କ ମୌଳିକ ଅଧିକାର ପାଇଁ ସଂସଦ ଭାବନରେ ଲଢେଇ କରିବି ବୋଲି କହିଥିଲେ ।
ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଆଦିବାସୀ ସଂଘ ସଭାପତି ପରମାନନ୍ଦ ମାଝୀ ମଞ୍ଚାସୀନ ରହି ସେ ସଦାସର୍ବଦା ଆଦିବାସୀଙ୍କ ମୌଳିକ ଅଧିକାର ପାଇଁ ଲଢେଇ କରି ଆସୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ଆଦିବାସୀ ସମାଜର ବିକାଶ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆଦିସ୍କନ୍ଧ ସମାଜ ସଭାପତି ସୁରେଶ କୁମାର ଭୋଇ, ଉପସଭାପତି ପଦମ ସିଂ ମାଝୀ, ଚୁଡାମଣି ମାଝୀ, କାର୍ତ୍ତିକ ଯାନୀ, ଲାଲ ବାହାଦୁର ଯାନୀ, ସଂପାଦକ ଦ୍ରୋଣ ମାଝୀ, ଟଙ୍କଧର ମାଝୀ, ସାଙ୍ଗଠନିକ ସଂପାଦକ ଚନ୍ଦ୍ରମଣି ମାଝୀ,ସିଲି ମାଝୀ, ପରାମର୍ଶଦାତା ଧନ ସିଂ, ଅଭିରାମ ଭୋଇ, ସଂକିର୍ତ୍ତନ ମାଝୀ ତଥା ଟିଟିଲାଗଡ, ବୁଡକା ପ୍ରଗଣା, ନୁଆପଡା, ପାଟଣାଗଡ, ବରଗଡ ସମେତ ଜିଲ୍ଲାର ସମସ୍ତ ବ୍ଲକର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାଂସ୍କୃତିକ ସଂପାଦକ କୈଲାସ ଚନ୍ଦ୍ର ଭୋଇ, ଗୋଲାମୁଣ୍ଡା ଆଦିସ୍କନ୍ଧ ସମାଜ ସଭାପତି ଥବିର ଯାନୀ ଓ ସାଧାରଣ ସଂପାଦକ ଚିତ୍ରସେନ ଯାନୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିପୁର୍ବରୁ ଆଦିସ୍କନ୍ଧ ସମାଜର ସଦସ୍ୟମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନଗର ପରିକ୍ରମା ସହିତ ଅତିଥିମାନଙ୍କୁ ପଛୋଟି ଆଣି ଧରଣି ଶାଳଠାରେ ପୂଜାର୍ଚ୍ଚନା ପରେ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।